କୁଏତକୁ ହରାଇ ନବମ ଟାଇଟଲ ହାତେଇଲା ଭାରତ

ବେଙ୍ଗୁଲୁରୁ: ଇଣ୍ଟରକଣ୍ଟିନେଣ୍ଟାଲ କପ ଚମ୍ପିଆନ ପରେ ସାଫ ଚମ୍ପିଆନ ଟ୍ରଫି ହାତେଇଛି ଭାରତ । ଗୋଲକିପର ଗୁରପ୍ରୀତ ସିଂହଙ୍କ ଜବରଦସ୍ତ ଗୋଲ କିପିଂ ବଳରେ ଭାରତ ନବମ ଥର ପାଇଁ ସାଫ୍ ଚମ୍ପିଆନସିପ ଟାଇଟଲ ହାସଲ କରିଛି । ପେନାଲ୍ଟି ସୁଟଆଉଟରେ କୁଏତକୁ ୫-୪ ଗୋଲରେ ପରାସ୍ତ କରି ସାଫ୍ ଚମ୍ପିଆନସିପ ୨୦୨୩ ସଂସ୍କରଣର ବିଜେତା ହୋଇଛି ।

ଭାରତ ବନାମ କୁଏତ ଫାଇନାଲ ଫାଇଟ: ସାଫ୍ ଚମ୍ପିଆନସିପ ୨୦୨୩ ଫାଇନାଲ ମୁକାବିଲା ସଂଘର୍ଷପୂର୍ଣ୍ଣ ଥିଲା । ନିର୍ଦ୍ଧାରିତ ସମୟ ଖେଳ ୧-୧ରେ ରହିଥିଲା । ଅତିରିକ୍ତ ସମୟ ମଧ୍ୟ ଅମୀମାଂସିତ ରହିବାରୁ ଶେଷରେ ପେନାଲ୍ଟି ସୁଟଆଉଟରେ ଫଳାଫଳ ନିର୍ଣ୍ଣୟ ହୋଇଥିଲା । ପ୍ରଥମ ସୁଟ୍‌ ଆଉଟ୍‌ ୪-୪ ହେବା ପରେ ସଡନଡେଥରେ ଭାରତ ୫-୪ରେ ବିଜୟୀ ହୋଇଥିଲା । ମହେଶ ନାଓରେମ ଓ ଗୋଲକିପର ଗୁରପ୍ରୀତ ସିଂହ ସାନ୍ଧୁ ଦଳର ବିଜୟରେ ମୁଖ୍ୟ ଭୂମିକା ତୁଲାଇଥିଲେ ।

ମ୍ୟାଚର ଦ୍ବିତୀୟ ମିନିଟରେ ଭାରତର ଲାଲିଆନଜୁଆଲା ଗୋଲ ସ୍କୋର କରିବାକୁ ସୁଯୋଗ ସୃଷ୍ଟି କରିଥିଲେ ମାତ୍ର ବିଫଳ ହୋଇଥିଲେ । ୧୪ ମିନିଟରେ କୁଏତର ସାବାଇବ ଅଲ ଖାଲଦି ପ୍ରଥମ ଗୋଲ କରି ଖାତା ଖୋଲିଥିଲେ । ଭାରତ ଗୋଲ ପରିଶୋଧ କରିବାକୁ ଲଗାତାର ପ୍ରୟାସ କରିଥିଲା । ମ୍ୟାଚରେ ୩୮ ମିନିଟରେ ଘରୋଇ ଦଳ ଗୋଲ ସ୍କୋର କରି ସ୍ଥିତି ୧-୧ କରିଥିଲା । ସହାଲ ସମାଦଙ୍କର ଏକ ପାସ୍‌କୁ ୱିଙ୍ଗର ଚଙ୍ଗତେ ଗୋଲରେ ପରିଣତ କରିଥିଲେ । ନିର୍ଦ୍ଧାରିତ ସମୟ ଖେଳ ୧-୧ରେ ରହିଥିଲା । ପେନାଲ୍ଟି ସୁଟଆଉଟରେ ଫଳାଫଳ ନିର୍ଣ୍ଣୟ ହୋଇଥିଲା । ଅଧିନାୟକ ସୁନୀଲ ଛେତ୍ରୀ ପ୍ରଥମ ପେନାଲ୍ଟିରେ ସଫଳ ହୋଇଥିଲେ । ଭାରତ ଆଗୁଆ ଥିଲା । ସନ୍ଦେଶ ଦ୍ବିତୀୟ ପେନାଲ୍ଟିରେ ସଫଳ ହେବା ପରେ ଭାରତ ୨-୦ରେ ଆଗୁଆ ରହିଥିଲା । ଏହାପରେ କୁଏତର ଓତାଇବି ସଫଳ ହୋଇଥିଲେ ସ୍ଥିତି ୨-୧ରେ ରହିଥିଲା । ପରେ କୁଏତ ଆଉ ଏକ ଗୋଲ କରିଥିଲା । ଚତୁର୍ଥ ପେନାଲ୍ଟିରେ ଉଦାନ୍ତ ସିଂ ମିସ୍‌ କରିବା ପରେ ଅବଦୁଲ୍ଲାଜିଜି ମୁରଦ ସଫଳ ହୋଇଥିଲେ । ସ୍ଥିତି ୩-୩ ହୋଇଥିଲା ।

ଶେଷ ରାଉଣ୍ଡରେ ଉଭୟ ଦଳ ସଫଳ ହେବା ଫଳରେ ସ୍ଥିତି ୪-୪ରେ ରହିଥିଲା । ଏହାପରେ ସଡନଡେଥ ଆରମ୍ଭ ହୋଇଥିଲା । ମେହଶ ନାଓରେମ ସଫଳ ହେବା ପରେ ଶେଷ ରାଉଣ୍ଡରେ ଭାରତ ୫-୪ରେ ଆଗୁଆ ରହି ଚମ୍ପିଆନ ହୋଇଥିଲା । କୁଏତର ଖାଲିଦ ଇବ୍ରାହିମଙ୍କୁ ଅଟକାଇଥିଲେ ଗୋଲକିପର ଗୁରପ୍ରୀତ ଫଳରେ ଭାରତ ୫-୪ରେ ବାଜି ମାରି ନେଇଥିଲା । ଚଳିତ ବର୍ଷ ଘରୋଇ ମାଟିରେ ଭାରତ ଲଗାତାର ତିନୋଟି ଟାଇଟଲ ଜିତିଛି ଯଥା ତ୍ରିରାଷ୍ଟ୍ରୀୟ କପ, ଇଣ୍ଟରକଣ୍ଟିନାଲ କପ ଏବଂ ସାଫ୍ ଚମ୍ପିଅନସିପ । ଏହା ପୂର୍ବରୁ ଭାରତ ୧୯୯୩, ୧୯୯୭, ୧୯୯୯, ୨୦୦୫, ୨୦୦୯, ୨୦୧୧, ୨୦୧୫, ୨୦୨୧ରେ ସାଫ୍ ଚମ୍ପିଆନ ହୋଇଥିଲା ।