ଆକାଶ ଛୁଆଁ ଦର, ୮୨ଟି ଦୋକାନରେ ରିହାତିରେ ଟମାଟୋ ବିକ୍ରି ଆରମ୍ଭ

ଚେନ୍ନାଇ: ସମଗ୍ର ଦେଶର ବିଭିନ୍ନ ରାଜ୍ୟ ସହ ତାମିଲନାଡୁରେ ଦେଖିବାକୁ ମିଳିଛି ଟମାଟୋ ସଙ୍କଟ । ଖୋଲା ବଜାରରେ ଟମାଟୋ ୧୮୦ କେଜି ଛୁଇଁଥବା ବେଳେ ଆଜି ସରକାରୀ ଭାବେ ରିହାତି ମୂଲ୍ୟରେ ଟମାଟୋ ବିକ୍ରି ହେବା ଆରମ୍ଭ ହୋଇଛି । କେବଳ ରାଜଧାନୀ ଚେନ୍ନାଇରେ ୮୨ଟି ନିର୍ଦ୍ଧାରିତ ଦୋକାନରେ କେଜି ୬୦ ଟଙ୍କା ରିହାତି ଦରରେ ଟମାଟୋ ବିକ୍ରି ଆରମ୍ଭ କରିଛନ୍ତି ସରକାର । ଏନେଇ ରାଜ୍ୟ ସମବାୟ ମନ୍ତ୍ରୀ ପେରିୟାଗୁରୁପ୍ପାନ ସୂଚନା ଦେଇଛନ୍ତି ।

ରାଜ୍ୟରେ ଟମାଟୋ ଦର ଏବେ ଆକାଶ ଛୁଆଁ ହେବାରେ ଲାଗିଥିବା ବେଳେ ଦର ନିୟନ୍ତ୍ରଣ ସହ ବଜାରରେ ଟମାଟୋର ଉପଲବ୍ଧତା ନିଶ୍ଚିତ କରିବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ରାଜଧାନୀ ଚେନ୍ନାଇ ସମେତ ରାଜ୍ୟରେ ମୋଟ ୧୧୧ଟି ରାସନ ଦୋକାନ ଓ ସମବାୟ ସମିତି ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ଗ୍ରୀନ ସେଣ୍ଟର ଚିହ୍ନଟ କରାଯାଇ ଏଠାରେ ସରକାରୀ ରିହାତି ମୂଲ୍ୟରେ ଟମାଟୋ ବିକ୍ରି କରାଯିବା ନେଇ ରାଜ୍ୟ ସମବାୟ ମନ୍ତ୍ରୀ ଗତକାଲି କହିଥିଲେ । ଆଜି ରାଜଧାନୀ ଚେନ୍ନାଇରେ ମୋଟ ୮୨ଟି ଦୋକନାରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ଧୀରେଧୀରେ ଏହାକୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମଧ୍ୟ ସମ୍ପ୍ରସାରିତ କରାଯିବ।

ରାଜଧାନୀ ଚେନ୍ନାଇକୁ ବିତରଣ ଦୃଷ୍ଟିରୁ ସରଳ କରିବା ପାଇଁ ୩ଟି ଜୋନରେ ବିଭକ୍ତ କରାଯାଇଛି । କେନ୍ଦ୍ରୀୟ ଚେନ୍ନାଇ ଜୋନରେ ମୋଟ ୩୨ଟି କେନ୍ଦ୍ରରେ ଟମାଟୋ ବିକ୍ରି ହୋଇଛି । ସେହିପରି ଉତ୍ତର ଓ ଦକ୍ଷିଣ ଚେନ୍ନାଇ ଜୋନରେ ୨୫ଟି ଲେଖାଏଁ ଦୋକାନରେ ଟମାଟୋ ବିକ୍ରି ହେବାର ବ୍ୟବସ୍ଥା କରାଯାଇଛି । ମୋଟ ୮୨ ଦୋକାନରେ ସରକାରୀ ରିହାତିଯୁକ୍ତ ନିର୍ଦ୍ଧାରିତ ମୂଲ୍ୟ (୬୦ ଟଙ୍କା ପ୍ରତି କେଜି)ରେ ଆଜିଠାରୁ ଟମାଟୋ ବିକ୍ରି ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।

ରାଜ୍ୟ ଯୋଗାଣ ବିଭାଗ ତଥ୍ୟ ଅନୁସାରେ, ରାଜ୍ୟରେ ଆବଶ୍ୟକତା ପଡୁଥିବା ମୋଟ ଟମାଟୋ ପରିମାଣର ୭୫ ପ୍ରତିଶତ ତାମିଲନାଡୁରେ ଉତ୍ପାଦନ କରାଯାଏ । ଅବଶିଷ୍ଟ ୨୫ ପ୍ରତିଶତ ଆବଶ୍ୟକତା ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ବାଧ୍ୟ ହୋଇଥାଏ ତାମିଲନାଡୁ । ଏବେ ସାରା ଦେଶରେ ଟମାଟୋର ଉପଲବ୍ଧତା ହ୍ରାସ ଓ ଦର ବୃଦ୍ଧି କାରଣରୁ ଯୋଗାଣ ଓ ଆମଦାନୀ ପ୍ରକ୍ରିୟା ମଧ୍ୟ ପ୍ରଭାବିତ ହୋଇଥିବା ରାଜ୍ୟ ଯୋଗାଣ ବିଭାଗ କହିଛି । ସ୍ଥିତିରେ ସୁଧାର ନଆସିବା ଯାଏ, ସରକାର ଏହିପରି ଭାବେ ରିହାତି ମୂଲ୍ୟରେ ଟମାଟୋ ଯୋଗାଣ ଜାରି ରଖିବା ନେଇ ମନ୍ତ୍ରୀ କହିଛନ୍ତି ।