ଭାରତ ମାତ୍ର ତିନି ବର୍ଷ ତଳେ ଅର୍ଥାତ୍ ୨୦୧୯ରେ ଐତିହାସିକ ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମ୍ରେ ବାଂଲାଦେଶ ବିପକ୍ଷରେ ପ୍ରଥମ ଦିବାରାତ୍ର ଟେଷ୍ଟ୍ ଖେଳିଥିଲା। ଯାହାକୁ ଭାରତ ଅତି ସହଜରେ ଜିତି ନେଇଥିଲା। ୨୦୨୦ରେ ଆଡିଲେଡ୍ଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିବା ଦିବାରାତ୍ର ଟେଷ୍ଟ୍ରେ କିନ୍ତୁ ଭାରତ ଲଜ୍ଜାଜନକ ପରାଜୟ ବରଣ କରିଥିଲା। ସେହି ମ୍ୟାଚ୍ର ପ୍ରଥମ ପାଳିରେ ବିରାଟ କୋହଲିଙ୍କ ନେତୃତ୍ବାଧୀନ ଦଳ ମାତ୍ର ୩୬ ରନ୍ରେ ଅଲଆଉଟ୍ ହୋଇଥିଲା। ଯାହା ଟେଷ୍ଟ୍ କ୍ରିକେଟ୍ରେ ତା’ର ସର୍ବନିମ୍ନ ଦଳଗତ ସ୍କୋର ଥିଲା।
ଶ୍ରୀଲଙ୍କା ବିପକ୍ଷ ଦିବାରାତ୍ର ଟେଷ୍ଟ୍ ପୂର୍ବରୁ ଅଭିଜ୍ଞ ସ୍ପିନର ଆର୍ ଅଶ୍ବିନ କିନ୍ତୁ ସାଥୀ ଖେଳାଳିଙ୍କୁ ସଜାଗ ରହିବାକୁ ଚେତାଇ ଦେଇଛନ୍ତି। ‘‘ଗୋଲାପି ବଲ୍ ଟେଷ୍ଟ୍ ଲାଗି ପ୍ରସ୍ତୁତି କରିବା ଅତ୍ୟନ୍ତ କଷ୍ଟକର। କେବେ କେବେ ଏହାକୁ ନେଇ ପୂର୍ବାନୁମାନ ଲଗାଇବା କଷ୍ଟକର ହୋଇଯାଇଥାଏ। ଆମେ ଏ ପର୍ଯ୍ୟନ୍ତ ତିନିଟି ଗୋଲାପି ବଲ୍ ଟେଷ୍ଟ୍ ଖେଳିଛୁ। ଆଉ ପ୍ରତିଥର କିଛି ନା କିଛି ନୂଆ କଥା ଶିଖିବାକୁ ପାଇଛୁ।’’ ବୋଲି ଏକ ସାକ୍ଷାତକାର ଅବସରରେ କହିଛନ୍ତି ଅଶ୍ବିନ। ଭରତୀୟ ଦଳ ଏହି ମ୍ୟାଚ୍ରେ କଚଟି ସ୍ପିନର କୁଲଦୀପ ଯାଦବଙ୍କ ସ୍ଥାନରେ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ନେଇଛି। ତେବେ ଅନ୍ୟତମ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଚମତ୍କାର କ୍ରିକେଟ୍ ଖେଳୁଥିବାରୁ ଚୂଡ଼ାନ୍ତ ଭାରତୀୟ ଦଳରେ ଅକ୍ଷର ସ୍ଥାନ ପାଇବାର ସମ୍ଭାବନା କମ୍ ରହିଛି। ଭାରତ ଭଳି ଶ୍ରୀଲଙ୍କା ଖେଳିଥିବା ତିନିଟି ଗୋଲାପି ବଲ୍ ଟେଷ୍ଟ୍ରୁ ଦୁଇଟିରେ ବିଜୟୀ ହୋଇଥିଲା ବେଳେ ଗୋଟିକରେ ପରାଜିତ ହୋଇଛି। ଉଭୟ ଦଳ ଏବେ ପ୍ରାୟତଃ ସମାନ ସ୍ତରରେ ରହିଛନ୍ତି। ମୋହାଲିରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍ରେ ଶୋଚନୀୟ ପରାଜୟ ବରଣ କରିଥିବା ଶ୍ରୀଲଙ୍କା ବେଙ୍ଗାଲୁରୁ ଟେଷ୍ଟ୍ରେ ଦ୍ରୁତ ବୋଲର ଲାହିରୁ କୁମାରଙ୍କ ସେବାରୁ ବଞ୍ଚିତ ହେବ। ମୋହାଲି ଟେଷ୍ଟ୍ରେ ଆହତ ହୋଇଥିଲେ ସେ।