ଦେଶରେ ୧୦୫ କୋଟି ଟପିଲା ଟିକାକରଣ

ନୂଆଦିଲ୍ଲୀ,ଏଜେନ୍ସି: କୋଭିଡକୁ ମାତ୍ ଦେବାକୁ ଲଢେଇ ଜାରି ରଖିଛି ଭାରତ। ଦେଶରେ ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ଅତିକ୍ରମ କରୁଛି ଟିକାକରଣ। ଏଯାବତ୍ ମୋଟ ୧୦୫ କୋଟି ଟିକାକରଣ କରାଯାଇଛି। ଏନେଇ ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ତଭିୟା ଟୁଇଟ କରିଛନ୍ତି। ଗୁରୁବାର ଦିନ ଦେଶରେ ୬୬ ଲକ୍ଷ ୫୫ ହଜାର ୩୩ କରୋନା ଟିକା ଦିଆଯାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କରୋନାକୁ ମାତ ଦେବା ପାଇଁ ଜାନୁଆରୀ ୧୬ରେ ଦେଶବ୍ୟାପୀ ଟିକାକରଣ ଡ୍ରାଇଭ ଆରମ୍ଭ ହୋଇଥିଲା।

ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟସେବା କର୍ମଚାରୀ ଟିକା ନେଇଥିଲେ। ଫେବୃଆରୀ ୨ ତାରିଖରୁ ସମସ୍ତ ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ଆରମ୍ଭ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟ ଟିକାକରଣ ମାର୍ଚ୍ଚ ପହିଲାରୁ ଆରମ୍ଭ ହୋଇଥିଲା। ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ତଦୂର୍ଦ୍ଧ୍ବ ଏବଂ ରୋଗାକ୍ରାନ୍ତ ୪୫ ବର୍ଷ ବୟସ୍କରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା। ଏହାପରେ ଏପ୍ରିଲ ୧ ତାରିଖରୁ ସରକାର ୪୫ ବର୍ଷରୁ ଅଧିକ ବୟସ୍କ ସମସ୍ତ ଲୋକଙ୍କ ଟିକାକରଣ ଆରମ୍ଭ କରିଥିଲେ। ଏହାପରେ ମେ’ ମାସ ୧ ତାରିଖରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଟିକା ଦେବା ପାଇଁ ଅନୁମତି ଦେଇଥିଲେ ସରକାର।