ପୁଞ୍ଚ ଆତଙ୍କୀ ହମଲା, ଆହତ ସେନା ଡ୍ରାଇଭର ଜଣଙ୍କ ଓଡ଼ିଆ

ବୈଶିଙ୍ଗା,ଏନ୍‌ଏନ୍‌ଏସ୍‌: ଜାମ୍ମୁକଶ୍ମୀରର ପୁଞ୍ଚ ଜିଲ୍ଲାରେ ଗୁରୁବାର ଏକ ସେନା ଟ୍ରକ୍ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଆହତ ଡ୍ରାଇଭର ଜଣଙ୍କ ଓଡ଼ିଆ ବୋଲି ଜଣାପଡ଼ିଛି । ତାଙ୍କ ଘର ବୈଶିଙ୍ଗା ଅଞ୍ଚଳର ମନ୍ତ୍ରୀଡ଼ାହୀ ଗ୍ରାମରେ । ସୂଚନା ଯୋଗ୍ୟ ମନ୍ତ୍ରୀଡ଼ାହୀ ଗ୍ରାମର ପ୍ରତାପ ମହାନ୍ତଙ୍କ ପୁଅ କାଳିଚରଣ ବିଗତ ୨୦୧୦ ମସିହାରୁ ସେନାରେ ଡ୍ରାଇଭର ଭାବେ କାର୍ଯ୍ୟ କରି ଦେଶ ମାତୃକାର ସେବା କରିଆସୁଛନ୍ତି । ଗତକାଲି ପୁଞ୍ଚ ଠାରେ ହୋଇଥିବା ଆତଙ୍କବାଦୀଙ୍କ ଗ୍ରେନେଡ଼ ଆକ୍ରମଣର ଶିକାର ହୋଇଥିବା ଗାଡିଟିକୁ ସେ ଚଳାଉ ଥିଲେ ।

ବିସ୍ଫୋରଣ ଏତେ ଭୟଙ୍କର ଥିଲା କି ୫ ଜଣ ଯବାନ ଘଟଣାସ୍ଥଳରେ ସହିଦ ହୋଇଯାଇଥିଲେ । ଗୁରୁତର ଭାବେ ଆହତ ହୋଇ ଅଳ୍ପକେ ବର୍ତ୍ତିଯାଇଥିଲେ କାଳିଚରଣ । ସେ ଏବେ ସେନା ଶିବିରରେ ଚିକିତ୍ସିତ ଅଛନ୍ତି । ପରିବାର ଓ ସମ୍ପର୍କୀୟଙ୍କ ସୂଚନା ଅନୁଯାୟୀ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏବେ ଠିକ୍ ଅଛି । ସେ ପରିବାରବର୍ଗଙ୍କ ସହିତ ନିୟମିତ ବ୍ୟବଧାନରେ କଥା ହୋଉଛନ୍ତି ।