ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପଥଚାରୀ ମୃତ

ବୈଶିଙ୍ଗା,ଏନ୍‌ଏନ୍ଏସ୍: ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ଦୁର୍ଗାପୁର ଛକ ନିକଟରେ ଆଜି ସନ୍ଧ୍ୟା ପ୍ରାୟ ୭ ଘଟିକା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମୃତ ହୋଇଥିବା ଜଣାପଡ଼ିଛି। ଆଗ୍ରିଆ ପଞ୍ଚାୟତର ଦୁର୍ଗାପୁର ଗ୍ରାମର ଭାସ୍କର ଦାସ (୬୫) ନିଜ ଘର ପାଖରେ ଥିବା ଏକ ପାନ ଦୋକାନକୁ ଯାଇ ଫେରୁଥିଲେ। ଏହି ସମୟରେ ୧୮ନଂ ଜାତୀୟ ରାଜପଥ ଉପରେ ବୈଶିଙ୍ଗାରୁ ବାରିପଦା ଅଭିମୁଖେ ଦ୍ରୁତଗତିରେ ଯାଉଥିବା ଏକ ବାଇକ୍‌ ସାମ୍ନାପଟୁ ଧକ୍କା ଦେଇଥିଲେ। ଧକ୍କା ଦେଇ ବାଇକ୍‌ ଚାଳକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।

ଭାସ୍କର ରକ୍ତାକ୍ତ ଅବସ୍ଥାରେ ରାଜପଥ ଉପରେ ପଡିରହିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଯୋଗେ ବେତନଟୀ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା। ଏ ସମ୍ପର୍କରେ ବୈଶିଙ୍ଗା ପୁଲିସକୁ ଖବର ପାଇବା ପରେ ଥାନା ଏସ୍‌ଆଇ ସୁମନ୍ତ ସେଠୀ ବେତନଟୀ ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରିଥିଲେ।   ଏନେଇ ବୈଶିଙ୍ଗା ଥାନାରେ ୧୭୧/୨୩ ମୂଳେ ଏକ ମାମଲା ରୁଜୁ ହୋଇଥିବା ଜଣାଯାଇଛି।