ରାଜ୍ୟରେ ପିଭିସି ଟିକାକରଣ ଆରମ୍ଭ

ଝାରସୁଗଡ଼ା,ଏନ୍ଏନ୍ଏସ୍: ରାଜ୍ୟରେ ଆଜିଠୁ ପିଭିସି ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି। ନିୟମିତ ଟିକାକରଣ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ସରକାରୀ ଚିକିତ୍ସାଳୟ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ସବ୍ ସେଣ୍ଟରରେ ବିନା ମୂଲ୍ୟରେ ଏହି ଟିକା ଦିଆଯିବ ବୋଲି ଶ୍ରୀ ଦାସ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିଚାଳନା ନିର୍ଦ୍ଦେଶିକା ଶାଲିନି ପଣ୍ଡିତ, ଭାରତ ସରକାଙ୍କର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶଦାତା ଡା ପ୍ରଦୀପ ହାଲଦର, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ କୁମାର ପାଣିଗ୍ରାହୀ ଓ ୟୁଜିସେଫର ଓଡ଼ିଆ ମୁଖ୍ୟ ମୋନିକା ଓ ନେଲସନ ପ୍ରମୁଖ ଉପସ୍ଥିତ ଥିଲେ।

ନିମକୋକାଲ ଏକ ଜୀବାଣୁଜାତ ରୋଗ ଯାହାକି ଶରୀରର ବିଭିନ୍ନ ଅଂଶରେ ପ୍ରବେଶ କରି ରୋଗ ସୃଷ୍ଟି କରିପାରେ। ବିଶେଷତଃ ଏହି ରୋଗ ଯୋଗୁ ଫୁସଫୁସରେ ପାଣି ଜମିବା ଓ ଫୁଲିବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ସେହିପରି ଶରୀରରୁ ଅମ୍ଳଜାନ ମାତ୍ରା କମି ଶ୍ୱାସକ୍ରିୟାରେ କଷ୍ଟ ହୋଇଥାଏ। ଫଳରେ ଶିଶୁଙ୍କୁ କାଶ, ଛାତି ତଳ ଭାଗକୁ ଟାଣି ହେବା, ବାତ ମାରିବା, ଚେତା ଶୂନ୍ୟ ହେବା ଇତ୍ୟାଦି ଲକ୍ଷଣ ଦେଖାଦେବା ସହ ମୃତ୍ୟୁ ମଧ୍ୟ ହୋଇଥାଏ। ଏହି ରୋଗରେ ଶିଶୁଟି ଜନ୍ମ ହେବାର ପ୍ରଥମ ୨୪ ମାସ ପର୍ଯ୍ୟନ୍ତ ସଂକ୍ରମଣ ହେବାର ଆଶଙ୍କା ରହିଥାଏ ଏବଂ ଏହା ସାଧାରଣତଃ ଅନ୍ୟ ଜଣଙ୍କଠାରୁ କାଶିିବା ଓ ଛିଙ୍କିବା ଦ୍ୱାରା ବ୍ୟାପିଥାଏ। ରୋଗ ପ୍ରତିରୋଧକ ଶକ୍ତି କମ୍ ଥିଲେ, ଅପପୁଷ୍ଟିର ଶିକାର ହୋଇଥିଲେ ଓ ୫ ବର୍ଷରୁ କମ ବୟସର ଶିଶୁଙ୍କୁ ନିମକୋକାଲ ରୋଗ ହେବାର ଆଶଙ୍କା ରହିଥାଏ। ତେଣୁ ଏହି ରୋଗକୁ ପ୍ରତିହତ କରିବା ପାଇଁ ଆଜିଠାରୁ ପିଭିସି ଟିକାକରଣ ଆରମ୍ଭ କରାଯାଇଛି। ଏହାଦ୍ୱାରା ୫ ବର୍ଷରୁ କମ ବୟସର ଶିଶୁଙ୍କ ମୃତ୍ୟୁହାର ବହୁ ପରିମାଣରେ ହ୍ରାସ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି। ରାଜ୍ୟରେ ସାର୍ବଜନୀନ ପିଭିସି ଟିକାକରଣ ନିମନ୍ତେ ୮୮ହଜାର ୪ଶହ ଡୋଜ ଉପଲବ୍ଧ ରହିଛି।