କଲରାପତରିଆ ବାଘ ଛାଲ ଜବତ ଘଟଣା : ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକରେ ଏବେ କଲରାପତରିଆ ବାଘ ଛାଲକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗତକାଲି ୨.୬ ଫୁଟର ବାଘ ଛାଲ ଜବତ କରାଯାଇ ଜଣଙ୍କୁ ଗିରଫ କରାଯାଇଥିଲା। ଆଉ ଆଜି ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ବିଶ୍ୱାମିତ୍ର ରଣାଙ୍କୁ ଗିରଫ କରାଯାଇଛି। ବିଶ୍ୱାମିତ୍ରଙ୍କୁ ଗତକାଲି ବିଳମ୍ବିତ ରାତିରେ ଗିରଫ କରି ପଚରାଉଚୁରା କରାଯାଇଥିବା ନେଇ ବଲାଙ୍ଗିର ଡିଏଫଓ ସମୀର ଶତପଥୀ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, କଅଁସର ଗ୍ରାମର ବିଶ୍ୱାମିତ୍ର ରଣା ବାଘଛାଲ ଚୋରା ଚାଲାଣ କରୁଥିବା ସମ୍ପର୍କରେ ଡିଏଫଓ ଶ୍ରୀ ଶତପଥୀ ଖବର ପାଇ ଚଢ଼ଉ ପାଇଁ ଯୋଜନା କରିଥିଲେ। ଡିଏଫଓଙ୍କ ନେତୃତ୍ୱରେ ବିଭିନ୍ନ ରେଞ୍ଜ ଏବଂ ମୋବାଇଲ ୟୁନିଟକୁ ନେଇ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ ପରେ ବନ ବିଭାଗ ଉକ୍ତ ଗ୍ରାମରେ ଛଢ଼ଉ କରିଥିଲେ। ହେଲେ ବିଶ୍ୱାମିତ୍ରଙ୍କ ଘରେ ତାଲା ପଡ଼ିଥିବାରୁ ସେମାନେ ଫେରି ଆସିଥିଲେ। ପରେ କେତେକ ସାଧା ପୋଷାକଧାରୀ ବନ ବିଭାଗ ଅଧିକାରୀ ନିଜକୁ ବ୍ୟାଙ୍କ କର୍ମଚାରୀ କହି ସେହି ଘରକୁ ଯାଇଥିଲେ। ହେଲେ ବିଶ୍ୱାମିତ୍ର ଘରେ ନଥିବାରୁ ସେ କୁଆଡ଼େ ଯାଇଛନ୍ତି ବୋଲି ସେଠାରେ ଉପସ୍ଥିତ ଥିବା ଜଣେ ଯୁବକ କହିଥିଲେ ଓ ବିଶ୍ୱାମିତ୍ରଙ୍କୁ ଫୋନ ଯୋଗେ ଜଣାଇଥିଲେ। ତେବେ ସନ୍ଧ୍ୟା ସମୟରେ କୌଣସି ବ୍ୟାଙ୍କ କର୍ମଚାରୀ କାହିଁକି ଆସିବେ ଭାବି ବିଶ୍ୱାମିତ୍ର ସନ୍ଦେହରେ ଘରେ ତାଲା ପକାଇ ଦେବାକୁ ଉକ୍ତ ଯୁବକକୁ କହିଥିଲେ। ଉକ୍ତ ଯୁବକ ଜଣକ ଘରେ ଆଉ ଏକ ତାଲା ଦେବାର ଉଦ୍ୟମ କରିବା ବେଳେ ବନ ବିଭାଗ କର୍ମଚାରୀମାନେ ତାକୁ କାବୁ କରି ଘରେ ଖୋଜାଖୋଜି କରିଥିଲେ। ସେହି ସମୟରେ ଏକ ଅଖାବସ୍ତା ଭିତରେ ବାଘ ଛାଲ ଭର୍ତ୍ତି ହୋଇଥିବା ଦେଖିବାକୁ ପାଇଥିଲେ। ସମ୍ପୃକ୍ତ ଯୁବକକୁ ଥାନାକୁ ଆଣିବା ସମୟରେ ଗାଁରେ ସାମାନ୍ୟ ଉତ୍ତେଜନା ମଧ୍ୟ ଦେଖାଯାଇଥିଲା। ତେବେ ଏବେ ତଦନ୍ତ ଜାରି ରହିଥିବା ନେଇ ବଲାଙ୍ଗିର ଡିଏଫଓ ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି।