ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ଓ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ମଧ୍ୟରେ ବିବାଦ ଘନୀଭୂତ ହୋଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟପାଳଙ୍କୁ ତୁରନ୍ତ ଅପସାରଣ କରାଯିବା ଲାଗି ଶିବସେନା ଦାବି କରିଛି । ଶିବସେନା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଏହି ଦାବି କରାଯାଇଛି । ଶିବସେନାର ମୁଖପତ୍ର ‘ସାମ୍ନା’ର ସମ୍ପାଦକୀୟରେ ଏହି ସମ୍ପର୍କରେ କଡ଼ା ଭାଷାରେ ଉଲ୍ଳେଖ କରାଯାଇଛି, ରାଜ୍ୟପାଳ ପଦବୀ ଭଳି ଉଚ୍ଚଆସନରେ ବସିଥିବା ଭଗତ ସିଂହ କୋଶିୟାରୀଙ୍କ ଠାରୁ ଏଭଳି ଆଚରଣ ଆଦୌ ଆଶା କରାଯାଏନାହିଁ । ସେ ନିଜ ସୁବିଧା ପାଇଁ ସବୁକିଛିକୁ ଜଳାଞ୍ଜଳି ଦେଇଛନ୍ତି ।
ରାଜ୍ୟପାଳ ଅକାରଣରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କୁ ପତ୍ର ଲେଖି ବିଭିନ୍ନ ନିର୍ଦ୍ଦେଶ ଦେଉଛନ୍ତି । ଏଠାରେ ସ୍ମରଣଯୋଗ୍ୟ କୋଶିୟାରୀ ନିକଟରେ ଉଦ୍ଧବ ଠାକ୍ରେଙ୍କୁ ଚିଠି ଲେଖି ସେ ହଠାତ୍ ଧର୍ମ ନିରପେକ୍ଷ ହୋଇଗଲେ କେମିତି ବୋଲି ପ୍ରଶ୍ନ କରିଛନ୍ତି । ଦଳ ପକ୍ଷରୁ ଆହୁରି କୁହାଯାଇଛି, ରାଜ୍ୟରେ ମନ୍ଦିରଗୁଡିକ ଖୋଲିବା ପାଇଁ ବିଜେପି ଆନ୍ଦୋଳନ ଆରମ୍ଭ କରିଥିଲା। ଏଭଳି ରାଜନୈତିକ ନିଷ୍ପତ୍ତି ସମ୍ପର୍କରେ ରାଜ୍ୟପାଳ ମୁଣ୍ଡ ଖେଳାଇବା ଉଚିତ୍ ନୁହେଁ । କିନ୍ତୁ ବିଜେପି ଏଥିନେଇ ଆନ୍ଦୋଳନ କରିବା ମାତ୍ରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କୁ ପତ୍ର ଲେଖିଲେ । ଏହି ପତ୍ର ସମ୍ବାଦପତ୍ରରେ ପ୍ରକାଶିତ ହେଲା ।
ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବାରୁ ତାଙ୍କୁ ତୁରନ୍ତ ଅପସାରଣ କରାଯିବାକୁ ଶିବସେନା ଦାବି କରିଛି । ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ରାଜଭବନର ମର୍ଯ୍ୟାଦା ରକ୍ଷା କରିବା ଲାଗି ଶିବସେନା ମୋଦୀ ସରକାରଙ୍କ ନିକଟରେ ଦାବି କରିଛି । ଦଳ ପକ୍ଷରୁ କୁହାଯାଇଛି, ମହାରାଷ୍ଟ୍ରରେ ରାଜ୍ୟପାଳ ପଦବୀର ଦୁରୁପଯୋଗ କରି ରାଜ୍ୟ ସରକାରଙ୍କୁ ଆକ୍ରମଣ କରିବା ବିରୋଧୀ ଦଳ ପାଇଁ ମହଙ୍ଗା ପଡିବ । ଏହି ପରିପ୍ରେକ୍ଷୀରେ ଶାସକ ମେଣ୍ଟର ଅଂଶୀଦାର ଦଳ ଏନ୍ସିପି ମୁଖ୍ୟ ଶରଦ ପାୱାର ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ବିବାଦରେ ଉଦ୍ବେଗ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଛନ୍ତି ।