ନୂଆଦିଲ୍ଲୀ,ଏଜେନ୍ସି: ରାଫେଲ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା ନିମନ୍ତେ ଭାରତୀୟ ବାୟୁସେନାର ଏକ ଟିମ୍ ଏବେ ଫ୍ରାନ୍ସ ଗସ୍ତରେ ଅଛନ୍ତି । ଜଣେ ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ଆଗାମୀ ଅଳ୍ପ କେତେ ସପ୍ତାହ ମଧ୍ୟରେ ରାଫେଲ ଲଢୁଆ ବିମାନର ଦ୍ୱିତୀୟ ଦଫା ଅମ୍ବାଲା ଘାଟିରେ ପହଞ୍ଚିବ । ପୂର୍ବ ନିଷ୍ପତ୍ତି ଅନୁଯାୟୀ ରାଫେଲ ପ୍ରକଳ୍ପର ସମୀକ୍ଷା ଲାଗି ଚଳିତ ସପ୍ତାହ ପ୍ରାରମ୍ଭରେ ବାୟୁସେନାର ଜଣେ ଅଧିକାରୀଙ୍କ ନେତୃତ୍ୱରେ ଏହି ଟିମ୍ ଫ୍ରାନ୍ସରେ ଗସ୍ତରେ ଯାଇଛନ୍ତି । ଦ୍ୱିତୀୟ ଦଫାରେ ୩/୪ଟି ରାଫେଲ ଜେଟ୍ ଭାରତରେ ପହଞ୍ଚିବ ବୋଲି ଏହି ସୂତ୍ରରୁ ପ୍ରକାଶ ।
ଭାରତ ସମୁଦାୟ ୩୬ଟି ରାଫେଲ ଜେଟ୍ ଲାଗି ବରାଦ ଦେଇଥିବା ବେଳେ ଜୁଲାଇ ୨୯ ତାରିଖ ଦିନ ୫ଟି ରାଫେଲ ଆସି ଅମ୍ବାଲା ଏୟାରବେସ୍ରେ ପହଞ୍ଚିଛି । ତେଣୁ, ପ୍ରତି ଦୁଇ ମାସରେ ତିନି/ଚାରିଟି ରାଫେଲ ଆସି ପହଞ୍ଚିବ ବୋଲି ଭାରତୀୟ ବାୟୁସେନା ଆଶା କରୁଛି । ଫ୍ରାନ୍ସରୁ ରାଫେଲ ଜେଟ୍ କିଣିବା ଲାଗି ଭାରତ ସରକାର ୨୦୧୬ ସେପ୍ଟେମ୍ବରରେ ସେଠାକାର ସରକାରଙ୍କ ସହ ୫୯,୦୦୦ କୋଟି ଟଙ୍କାର ରାଜିନାମା କରିଥିଲେ ।