ପାକିସ୍ତାନ ମିଛ କହି ବିଭ୍ରାନ୍ତ କରୁଛି : ଭାରତ

ନୂଆଦିଲ୍ଲୀ, ଏଜେନ୍ସି: ଭାରତ ପାକିସ୍ତାନ ସହ ଆଲୋଚନା କରିବା ପାଇଁ ଆଗଭର ହୋଇଛି ବୋଲି ପାକ୍ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ)ଙ୍କ ବୟାନକୁ ନୂଆଦିଲ୍ଲୀ ପକ୍ଷରୁ ଖଣ୍ଡନ କରାଯାଇଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା ମିଥ୍ୟା ଓ ମନଗଢା ବୟାନ ଦେଇ ବିଭ୍ରାନ୍ତ କରୁଛନ୍ତି।
ଭାରତ ଗୁରୁବାର ପାକିସ୍ତାନକୁ ଏ ସଂକ୍ରାନ୍ତରେ କଡା ଜବାବ ଦେଇଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି, ଭାରତ ପାକିସ୍ତାନ ସହ ଆଲୋଚନା କରିବାକୁ ଆଗ୍ରହୀ ବୋଲି ପାକିସ୍ତାନର ଏନଏସଏ ମୋଇଦ୍ ୟୁସୁଫଙ୍କ ମନ୍ତବ୍ୟର କୌଣସି ସତ୍ୟତା ନାହିଁ। ପାକିସ୍ତାନର ଆଭ୍ୟନ୍ତରୀଣ ସମସ୍ୟାଗୁଡିକରୁ ଦୃଷ୍ଟି ଏଡ଼ାଇବା ପାଇଁ ଇସଲାମାବାଦ ପକ୍ଷରୁ ଏଭଳି ମିଥ୍ୟାର ଆଶ୍ରୟ ନିଆଯାଇଛି। ଉଲ୍ଳେଖଯୋଗ୍ୟ ପାକିସ୍ତାନର ଏନଏସଏ ଏକ ସାକ୍ଷାତକାରରେ କହିଥିଲେ ଭାରତ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରିଛି। ଶ୍ରୀବାସ୍ତବ ଆହୁରି କହିଛନ୍ତି, ପାକିସ୍ତାନ ଏନଏସଏଙ୍କ ଏପରି ମନ୍ତବ୍ୟ ସମ୍ପର୍କରେ ମୁଁ ସ୍ପଷ୍ଟ କରିଦେଉଛି ଯେ, ଆମ ପକ୍ଷରୁ ସେଭଳି କୌଣସି ଆଲୋଚନା ପ୍ରସ୍ତାବ ଦିଆଯାଇନାହିଁ। ପାକିସ୍ତାନ ସରକାର ଭାରତର ଆଭ୍ୟନ୍ତରୀଣ ନୀତି ସମ୍ପର୍କରେ କୌଣସି ମତାମତ ଦେବା ଅନୁଚିତ୍। ସୂଚନାଯୋଗ୍ୟ, ଇମ୍ରାନ ଖାନ୍ଙ୍କ ସରକାର ବିରୋଧରେ ପାକିସ୍ତାନରେ ବଡ ଧରଣର ଆନ୍ଦୋଳନ ମୁଣ୍ଡ ଟେକିବା ପରିପ୍ରେକ୍ଷୀରେ ସେଠାର ଜାତୀୟ ସୁରକ୍ଷା ପରାମର୍ଶଦାତା ଏଭଳି ମିଥ୍ୟା ବୟାନ ଦେଇଛନ୍ତି।