କୋଟିଆରେ ପୁନର୍ବାର ଲେଖା ହେଲା ଓଡ଼ିଆରେ ନାମଫଳକ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲା ପ୍ରଶାସନ ବାତ୍ୟା ଗୁଲାବ୍ ପାଇଁ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିଥିବାବେଳେ କୋଟିଆ ଗ୍ରାମପଞ୍ଚାୟତର ନେରେଡ଼ିବାଲସା, ତାଡ଼ିବାଲସା ଓ ଅନ୍ୟ ଗ୍ରାମରେ ଲାଗିଥିବା ଓଡ଼ିଆ ନାମଫଳକକୁ ଅସାମାଜିକ ବ୍ୟକ୍ତିମାନେ ହଟାଇ ଦେଇଥିଲେ। ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତରଙ୍କ ନିର୍ଦ୍ଦେଶକ୍ରମେ ଓ ପଟ୍ଟାଙ୍ଗୀର ଭାରପ୍ରାପ୍ତ ବିଡିଓ କୃଷ୍ଣଚନ୍ଦ୍ର ବିଶ୍ୱାସରାୟଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବ୍ଲକର ଅଧିକାରୀଙ୍କ ସହାୟତାରେ ଲିଭାଯାଇଥିବା ଓଡ଼ିଆ ନାମଫଳକକୁ ପୁଣିଥରେ ଲେଖାଯାଇଥିବା ଜଣାପଡ଼ିଛି। କୋଟିଆ ପଞ୍ଚାୟତ ନିର୍ବାହୀ ଅଧିକାରୀ ନବ କିଶୋର ହନ୍ତାଲ, କନିଷ୍ଠ ଯନ୍ତ୍ରୀ ଅଜୟ ତରାଇ ଓ ଏପିଓ ସୌମେନ୍ଦ୍ର ନାୟକ ନେରେଡ଼ିବାଲସା, ତାଡ଼ିବାଲସା ଓ ଉପରସେମ୍ବି ଗ୍ରାମକୁ ଯାଇ ଓଡ଼ିଆ ନାମଫଳକ ଲେଖିବାରେ ସହାୟତା କରିଥିବା ଜଣାପଡ଼ିଛି। ଏଥିସହିତ ଯେଉଁମାନେ ଓଡ଼ିଆ ନାମଫଳକକୁ ଲିଭାଇଥିଲେ ସେମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।