ଶ୍ୱେତା ତିୱାରୀଙ୍କୁ ମିଳିଲା ପୁଅର କଷ୍ଟୋଡୀ

ମୁମ୍ବାଇ: ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କୁ ବମ୍ବେ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଦୀର୍ଘ ଦିନରୁ ଚାଲିଥିବା ଆଇନ ଲଢ଼େଇରେ ଶେଷରେ ଶ୍ୱେତାଙ୍କୁ ପୁଅ ରିୟାଂସର କଷ୍ଟୋଡୀ ମିଳିଛି। ଶ୍ୱେତା ଓ ତାଙ୍କ ସ୍ୱାମୀ ଅଭିନବ କୋହଲୀଙ୍କ ମଧ୍ୟରେ ଗତ କିଛି ବର୍ଷ ହେବ ପୁଅର କଷ୍ଟୋଡୀକୁ ନେଇ ବିବାଦ ଲାଗି ରହିଥିଲା। ଶ୍ୱେତାଙ୍କ ଉପରେ ଅଭିନବ ଅନେକ ଆରୋପ ଲଗାଇଥିଲେ। କୋର୍ଟଙ୍କ ଏହି ଫଇସଲା ପରେ ଶ୍ୱେତା ବେଶ୍ ଖୁସି ଅଛନ୍ତି।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ମୁତାବକ, ପୁଅ ରିୟାଂଶକୁ ଶ୍ୱେତା ତାଙ୍କ ପିତାଠାରୁ ଦୂରେଇ ରଖୁଥିବା ଅଭିନବ ଆରୋପ ଲଗାଇଥିଲେ। କାମ ଯୋଗୁ ଶ୍ୱେତା ଖୁବ୍ ବ୍ୟସ୍ତ ରହୁଥିବା ଅଭିନବ କହିଥିଲେ। ତାଙ୍କ ପାଖରେ ପୁଅ ପାଇଁ ସମୟ ନାହିଁ। କିନ୍ତୁ ଅଭିନବଙ୍କ ପିଟିସନକୁ ଖାରିଜ କରି କୋର୍ଟ ଶ୍ୱେତାଙ୍କ ସପକ୍ଷରେ ଫଇସଲା ଶୁଣାଇଛନ୍ତି।

କୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ, ଅଭିନବ ସପ୍ତାହରେ ଥରେ ୨ ଘଣ୍ଟା ଲାଗି ତାଙ୍କ ପୁଅ ରିୟାଂସଙ୍କୁ ଶ୍ୱେତାଙ୍କ ବିଲ୍ଡିଂ ଏରିଆରେ ଭେଟିପାରିବେ। ସେଠାରେ ପରିବାର ସଦସ୍ୟ ଉପସ୍ଥିତ ରହିବେ। ଏଥିସହିତ ପ୍ରତିଦିନ ୩୦ ମିନିଟ୍ ଭିଡିଓ କନଫ୍ରେନ୍ସିଂରେ କଥା ହୋଇପାରିବେ।