ଦେଶରେ ୨୪ ଘଣ୍ଟାରେ ୫୨,୦୫୦ କରୋନାରେ ସଂକ୍ରମିତ ଓ ୮୦୩ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଦିନକୁଦିନ ସବୁ ରେକର୍ଡ ଭାଙ୍ଗିବାରେ ଲାଗିଛି। ଆମେରିକା ଓ ବ୍ରାଜିଲକୁ ପଛରେ ପକାଇ ଭାରତରେ ଏବେ ପ୍ରତିଦିନ ସବୁଠୁ ଅଧିକ ଆକ୍ରାନ୍ତ ଓ ମୃତ୍ୟୁ ମାମଲା ସାମ୍ନାକୁ ଆସୁଛି। ଗତ ୨୪ ଘଣ୍ଟାରେ ୫୨ ହଜାର ୫୦ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୮୦୩ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ଆମେରିକାରେ ଦିନକରେ ୪୮ ହଜାର ୬୨୨ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ୫୬୮ ଜଣଙ୍କର ମୃତ୍ୟୁ ଘଟିଛି। ବ୍ରାଜିଲରେ ୧୭ ହଜାର ୯୮୮ ଜଣ ସଂକ୍ରମିତ ହୋଇଛନ୍ତି ଓ ୫୭୨ ଜଣଙ୍କର ମୃତ୍ୟୁ ଘଟିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଲକ୍ଷ ୫୫ ହଜାର ୭୪୫ରେ ପହଞ୍ଚିଛି। ସେଥିମଧ୍ୟରୁ ୫ଲକ୍ଷ ୮୬ ହଜାର ସକ୍ରିୟ ମାମଲା ରହିଥିବାବେଳେ ୧୨ଲକ୍ଷ ୩୦ ହଜାର ଲୋକ ସୁସ୍ଥ ହୋଇଛନ୍ତି ଓ ୩୮ ହଜାର ୯୩୮ ଜଣଙ୍କର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ସର୍ବାଧିକ ୧ଲକ୍ଷ ସକ୍ରିୟ ମାମଲା ରହିଛି। ମହାରାଷ୍ଟ୍ର ପରେ ଦ୍ୱିତୀୟରେ ତାମିଲନାଡ଼ୁ, ତୃତୀୟରେ କର୍ଣ୍ଣାଟକ, ଚତୁର୍ଥରେ ଆନ୍ଧ୍ରପ୍ରଦେଶ ଓ ପଞ୍ଚମରେ ଦିଲ୍ଲୀ ରହିଛି। ବିଶ୍ୱରେ ସକ୍ରିୟ ସଂକ୍ରମଣ ମାମଲାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି।