ଦେବଗଡ଼ରେ ଜିଲ୍ଲା କୃଷକ ସଂଘ ଓ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ

ଦେବଗଡ଼,ଏନ୍ଏନ୍ଏସ୍: କୃଷି ଆଇନକୁ ରଦ୍ଦ କରିବା ଦାବୀରେ ଅଖିଳ ଭାରତ କୃଷକ ସମନ୍ୱୟ ସମିତୀର ଆହ୍ୱାନରେ ଭାରତ ବନ୍ଦ ଡାକରାକୁ ଦେବଗଡ଼ ଜିଲ୍ଲା କୃଷକ ସଂଘ ଓ ଦେବଗଡ଼ ଜିଲ୍ଲା କଂଗ୍ରେସ କମିଟୀ ସମର୍ଥନ କରି ବନ୍ଦ ପାଳନ କରିଛନ୍ତି। ଆଜି ସକାଳ ୮ଟାରୁ ଦେବଗଡ଼ ଜିଲ୍ଲା କୃଷକ ସଂଘ ସଭାପତି ପ୍ରମୋଦ କୁମାର ଝାଙ୍କର, ସମ୍ପାଦକ ଯଯାତୀ କେଶରୀ ବିଶ୍ୱାଳ, ଦେବଗଡ଼ ଜିଲ୍ଲା କଂଗ୍ରେସ କମିଟୀର ସଭାପତି ଉମା ଶଙ୍କର ସାହୁ ଓ ଉପସଭାପତି ପ୍ରକାଶ ଚନ୍ଦ୍ର ଦେବତାଙ୍କ ନେତୃତ୍ୱରେ ସ୍ଥାନୀୟ ପୁରୁଣା ପୋଷ୍ଟ ଅଫିସ ଛକ ଏବଂ ମୁଖ୍ୟ ବଜାର ଛକଠାରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଚାଷୀଙ୍କ ଦାବି ପ୍ରତି କେନ୍ଦ୍ର ସରକାର ତୁରନ୍ତ ବିଚାର ନ କଲେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଆନ୍ଦୋଳନକାରୀ କୃଷକ ନେତା, ଦଳୀୟ ନେତା ଓ ସମର୍ଥକ ପ୍ରକାଶ କରିଛନ୍ତି। ଆଜିର ଏହି ବନ୍ଦକୁ ସମର୍ଥନ କରି ଦେବଗଡ଼ ଜିଲ୍ଲାର ସମସ୍ତ ଦୋକାନ ବଜାର, ଯାନବାହାନ ଆଦି ସ୍ୱତଃପ୍ରବୃତ ଭାବେ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ଏହି ବନ୍ଦର ପ୍ରଭାବ ଜିଲ୍ଲାର ତିଲେଇବଣୀ, ବାରକୋଟ ଓ ରିଆମାଳ ବ୍ଲକରେ ମଧ୍ୟ ଦେଖିବାକୁ ମିଳିଥିଲା। ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଆଜିର ଏହି ବନ୍ଦ ପାଳନ ସଂପୂର୍ଣ୍ଣ ଶାନ୍ତି ଶୃଙ୍ଖଳାର ସହ ହୋଇଥିବାବେଳେ ଜିଲ୍ଲା କୃଷକ ସଂଘର ସଦସ୍ୟଙ୍କ ସମେତ ବହୁ କଂଗ୍ରେସ କର୍ମୀ ସକ୍ରିୟ ଅଂଶଗ୍ରହଣ କରିଥିଲେ।