ଟ୍ରାଫିକ ନିୟମ ଉଂଲଘନ କରି ପୁଲିସ ଏଏସଆଇ ହଟହଟା

ଦେବଗଡ଼, ଏନ୍ଏନ୍ଏସ୍: ଦେବଗଡ଼ ଥାନା ପୁଲିସ ପକ୍ଷରୁ ସହର ମଧ୍ୟ ଦେଇ ଯାଇଥିବା ବିଭିନ୍ନ ଜାତୀୟ ରାଜପଥ ଉପରେ ଯାନବାହାନ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ଦେବଗଡ଼ ଆରକ୍ଷୀ ଅଧୀକ୍ଷକ ମନୋଜ ମହାନ୍ତଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଦଳ ଗତକାଲି ପୂର୍ବାହ୍ନରେ ପୁରୁଣାଗଡ଼ସ୍ଥିତ ରିଆମାଳ ଛକଠାରେ ଯାନବାହାନ ଯାଞ୍ଚ କରୁଥିବା ସମୟରେ ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ ଜଣେ ଏଏସଆଇ ନିୟମ ଉଲଂଘନ କରି ଜୋରିମାନା ଦେବାକୁ ବାଧ୍ୟ ହୋଇଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବିକ, ଢେଙ୍କାନାଳରୁ ବଦଳି ହୋଇ ଆସିଥିବା ଏଏସଆଇ କିଶୋର ଚନ୍ଦ୍ର ସୁନା ଯାଞ୍ଚ ସମୟରେ ବହୁବାର ନିୟମ ଉଲଂଘନ କରି ଖସି ଯାଉଥିଲେ। ଫଳରେ ଯାଞ୍ଚ ଦଳରେ ଥିବା ପୁଲିସ ଅଧିକାରୀଙ୍କୁ ବିଭିନ୍ନ ସମୟରେ ଜନସାଧାରଣଙ୍କ ପ୍ରଶ୍ନବାଣର ସମ୍ମୁଖୀନ ହେବାକୁ ପଡୁଥିଲା। ଗତକାଲି ମଧ୍ୟ ଶ୍ରୀ ସୁନା ପୂର୍ବପରି ଯାଞ୍ଚ ସମୟରେ ବିନା ହେଲମେଟରେ ବାଇକ ଯୋଗେ ଖସିଯିବାକୁ ଉଦ୍ୟମ କରୁଥିଲେ। ହେଲେ ପୁଲିସ ଅଧିକାରୀ ବୁଦ୍ଧରାଏ ମାଝୀ, ପ୍ରଦୀପ ରଞ୍ଜନ ପାତ୍ର, ସିଏସଆଇ ମୀନତୀ ନାୟକ ଓ ତର୍ସିଲା ବାର୍ଲା ପ୍ରମୁଖ ତାଙ୍କୁ ଅଟକାଇବାରୁ ଶ୍ରୀ ସୁନା ନିଜକୁ ପୁଲିସ ଏଏସଆଇର ପରିଚୟ ଦେଇ ନିୟମ ଉଂଲଘନ ସତ୍ୱେ ଜୋରିମନା ନଦେଇ ଖସିଯିବାକୁ ଉଦ୍ୟମ କରିଥିଲେ। ମାତ୍ର ଯାଞ୍ଚ କାର୍ଯ୍ୟରେ ନିୟୋଜିତ ଅଧିକାରୀମାନେ ଜନସଧାରଣ ଓ ପୁଲିସଙ୍କ ପାଇଁ ଗୋଟିଏ ଆଇନ କହି ତାଙ୍କଠାରୁ ହଜାରେ ଟଙ୍କା ଜୋରିମାନା ଆଦାୟ କରିଥିଲେ। ଫଳରେ ଏଏସଆଇ ଶ୍ରୀ ସୁନା ବାଧ୍ୟ ହୋଇ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଭୟରେ ହଜାରେ ଟଙ୍କା ଜୋରିମାନା ଦେଇଥିଲେ। ତେବେ ଯାଞ୍ଚ ଅଧିକାରୀଙ୍କ ଏଭଳି ମନୋଭାବକୁ ଘଟଣାସ୍ଥଳରେ ଥିବା ଅନ୍ୟ ଜନସାଧାରଣ ପ୍ରଶଂସା କରିଥିଲେ।