ଛତିଶା ନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: କେବଳ ସେବାୟତ ଟାଣିବେ ରଥ

ପୁରୀ,ଏନ୍ଏନ୍ଏସ୍: ଗତବର୍ଷ ଭଳି କୋଭିଡ଼ କଟକଣା ମଧ୍ୟରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ରଥଯାତ୍ରା। ଏ ବର୍ଷ ମଧ୍ୟ ସେବକମାନଙ୍କ ଦ୍ୱାରା ୩ ରଥ ଟଣାଯିବ। ପୁଲିସ କର୍ମଚାରୀମାନେ ରଥର ଦକ୍ଷିଣମୋଡ଼ କରିବେ। ଶ୍ରୀମନ୍ଦିର କିମ୍ବା ଜିଲ୍ଲା ପ୍ରଶାସନର ଅଧିକାରୀମାନେ ରଥ ଟାଣିବେ ନାହିଁ। କେବଳ ସେବାୟତମାନେ ରଥ ଟାଣିବେ ବୋଲି ଶନିବାର ଦିନ ଅନୁଷ୍ଠିତ ଶ୍ରୀମନ୍ଦିରର ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ରଥଯାତ୍ରା ସହିତ ସଂଶ୍ଳିଷ୍ଟ ସେବାୟତ ଓ ଅଧିକାରୀମାନଙ୍କର କୋଭିଡ଼ ଟେଷ୍ଟ କରାଯିବ। ସେମାନଙ୍କୁ ଟିକାକରଣ କରଯାଉଛି। ରଥଯାତ୍ରା ବେଳେ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ୧୪୪ ଧାରା ଜାରି ରହିବ। ଯେପରି ବଡ଼ଦାଣ୍ଡକୁ କୌଣସି ଭକ୍ତ ଆସିପାରିବେ ନାହିଁ। ରଥ ଉପରେ ସେବାୟତମାନେ ମୋବାଇଲ କିମ୍ବା କ୍ୟାମେରା ବ୍ୟବହାର କରିପାରିବେ ନାହିଁ। ସମସ୍ତ ଭକ୍ତ ଟିଭି ମାଧ୍ୟମରେ ରଥଯାତ୍ରାର ଦୃଶ୍ୟ ଦେଖିବେ ବୋଲି ଭର୍ଚୁଆଲ ମୋଡ଼ରେ ଅନୁଷ୍ଠିତ ଏହି ବୈଠକ ପରେ ସୂଚନା ଦେଇ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡ଼ଃ. କ୍ରିଷନ କୁମାର ପ୍ରକାଶ କରିଛନ୍ତି। ରଥଟଣାରେ ଅଂଶଗ୍ରହଣ କରୁଥିବା ସେବାୟତଙ୍କୁ ମାସ୍କ ଓ ଗାମୁଛା ଯୋଗାଇ ଦିଆଯିବ।

ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ରଥଟଣାରେ ସାମିଲ ହୋଇଥିବା ସେବକମାନଙ୍କ ପାଇଁ ବଡ଼ଦାଣ୍ଡର ୨ ପାର୍ଶ୍ୱରେ ୧୦ଟି ଲେଖାଏଁ ବସିବା ସ୍ଥାନର ବ୍ୟବସ୍ଥା କରାଯିବ। ସିଂହଦ୍ୱାର ଓ ଗୁଣ୍ଡିଚା ମନ୍ଦିର ନିକଟରେ ବସିବାର ବ୍ୟବସ୍ଥା ହେବ। ଏଥିସହିତ ବିଶ୍ରାମ ସ୍ଥଳରେ ପିଇବା ପାଣି ଓ ଗ୍ଲୁକୋଜର ବ୍ୟବସ୍ଥା ରହିବ। ସେବକମାନଙ୍କୁ ନେବା ଆଣିବା କରିବା ପାଇଁ ବଡ଼ ଓ ଛୋଟ ଗାଡ଼ିର ବ୍ୟବସ୍ଥା କରାଯିବ। ସବୁ ନିଯୋଗଙ୍କ ଠାରୁ ସେବାୟତଙ୍କ ତାଲିକା ମିଳିଛି ଓ ତାହା ଯାଞ୍ଚ କରାଯାଉଛି। କୋଭିଡ଼ କଟକଣା ଯୋଗୁଁ ରଥ ଉପରେ ସର୍ବନିମ୍ନ ସଂଖ୍ୟକ ସେବକ ବସିବେ। ଭକ୍ତମାନେ ଯେପରି ଭଲ ଭାବେ ରଥ ଉପରେ ଟିଭି ମାଧ୍ୟମରେ ଠାକୁରମାନଙ୍କୁ ଦର୍ଶନ କରିପାରିବେ ସେଥିପାଇଁ ଠାକୁରଙ୍କ ସାମ୍ନାରେ କେହି ରହିପାରିବେ ନାହିଁ।

ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିର ବାହାରେ ଭକ୍ତଙ୍କ ପାଇଁ କିପରି ମହାପ୍ରସାଦ ଉପଲବ୍ଧ ହେବ ତାର ବ୍ୟବସ୍ଥା କରାଯିବ। ଅତିରିକ୍ତ ଜିଲ୍ଲାପାଳଙ୍କ ଦାୟିତ୍ୱରେ ଏହି ବ୍ୟବସ୍ଥା ହେବ। ରଥଯାତ୍ରାରେ ସାମିଲ ହେବାକୁ ଥିବା ସେବାୟତ ଓ ଅଧିକାରୀମାନଙ୍କୁ ଆରଟିପିସିଆର ଟେଷ୍ଟ କରାଯିବ। କେବଳ ଜରୁରୀ ସେବାରେ ନିୟୋଜିତ ଯାନ ଚଳାଚଳ କରିପାରିବ। ଏହି ଭର୍ଚୁଆଲ ବୈଠକରେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଓ ବିଭିନ୍ନ ନିଯୋଗର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।