ନୂଆଦିଲ୍ଲୀ,ଏଜେନ୍ସି: ଏ ବର୍ଷ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡ଼ି) ପକ୍ଷରୁ କୁହାଯାଇଛି । ଲା’ନିନା ପ୍ରଭାବ ଦୁର୍ବଳ ହେବା ଯୋଗୁଁ ଏପରି ହେବ ବୋଲି ଆଇଏମ୍ଡିର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ସେ କହିଛନ୍ତି, ଲା’ ନିନା ପ୍ରଭାବ ଦୁର୍ବଳ ହେଉଥିବାରୁ ଏ ବର୍ଷ ପ୍ରବଳ ଶୀତ ଅନୁଭବ ହେବ । ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍ଡିଏମ୍ଏ) ଦ୍ୱାରା ଆୟୋଜିତ ଏକ ୱେବିନାରରେ ଯୋଗଦେଇ ସେ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ଋତୁଚକ୍ରରେ ଅନିୟମିତତା ଦେଖାଯାଇଛି ।
କୌଣସି ବର୍ଷ ମରୁଡ଼ି ପଡୁଥିବା ବେଳେ ଆଉ କେଉଁ ବର୍ଷରେ ପ୍ରବଳ ବର୍ଷା ହୋଇ ଫସଲ ହାନି ଘଟୁଛି । ଉଲ୍ଲେଖଯୋଗ୍ୟ, ଭାରତରେ ପାଣିପାଗ ଉପରେ ଏଲ୍ ନିନୋ ଓ ଲା’ନିନୋର ବଡ ପ୍ରଭାବ ରହିଛି । ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସମୁଦ୍ର ପୃଷ୍ଠର ହାରାହାରି ତାପମାତ୍ରା ଠାରୁ ବାୟୁମଣ୍ଡଳର ତାପମାତ୍ରା ଅଧିକ ରହିଲେ ତାହାକୁ ଲା’ନିନୋ କୁହାଯାଏ । ସେହିପରି ପ୍ରଶାନ୍ତ ମହାସାଗରର ପାଣି ବାୟୁମଣ୍ଡଳର ତାପମାତ୍ରା ତୁଳନାରେ ଅଧିକ ଗରମ ରହିଲେ ତାହାକୁ ଏଲ୍ ନିନୋ କୁହାଯାଏ । ଏଲ୍ ନିନୋ ପ୍ରଭାବ ଅଧିକ ରହିଲେ ସାଧାରଣତଃ କମ୍ ବର୍ଷା ହୋଇଥାଏ ।