ଚିନ୍ମୟାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ, କୋର୍ଟରେ ବୟାନ ବଦଳାଇଲେ ଆଇନ ଛାତ୍ରୀ

ଲକ୍ଷ୍ନୌ/ନୂଆଦିଲ୍ଲୀ,ଏଜେନ୍ସି: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଚିନ୍ମୟାନନ୍ଦଙ୍କ ବିରୋଧରେ ଗତ ବର୍ଷ ଦୁଷ୍କର୍ମ ଅଭିଯୋଗ ଆଣିଥିବା ଜଣେ ୨୩ ବର୍ଷୀୟା ଆଇନ ଛାତ୍ରୀ କୋର୍ଟରେ ନିଜର ବୟାନ ବଦଳାଇଛନ୍ତି । ଦୁଷ୍କର୍ମ ଅଭିଯୋଗ ଚିନ୍ମୟାନନ୍ଦ (୭୨) ଗତ ବର୍ଷ ଗିରଫ ହୋଇଥିଲେ ଏବଂ ତାଙ୍କୁ ଗତ ଫେବ୍ରୁଆରୀରେ ଜାମିନ୍ ମିଳିଥିଲା । ଏହି ମାମଲାର ତ୍ୱରିତ ଶୁଣାଣି ପାଇଁ ଆହ୍ଲାବାଦ ହାଇକୋର୍ଟ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରିଥିଲେ । ଗତ ମଙ୍ଗଳବାର ଆଇନ ଛାତ୍ରୀଜଣକ ସ୍ୱତନ୍ତ୍ର ବିଚାରପତିଙ୍କ ଆଗରେ ହାଜର ହୋଇ ପୂର୍ବରୁ ଆଣିଥିବା ସବୁ ଅଭିଯୋଗ ପ୍ରତ୍ୟାହାର କରିନେଇଥିଲେ । ଏହି ସମୟରେ ସରକାରୀ ଓକିଲ ଛାତ୍ରୀଙ୍କ ବିରୋଧରେ ସିଆରପିସିର ୩୪୦ ଧାରା ଅନୁଯାୟୀ ମାମଲା ରୁଜୁ କରିବାକୁ କୋର୍ଟଙ୍କୁ ନିବେଦନ କରିଥିଲେ । କୋର୍ଟ ଛାତ୍ରୀଜଣଙ୍କୁ ଏହାର ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଗୁରୁବାର ମାମଲାର ପୁଣି ଶୁଣାଣି ହେବ ।

ଏହି ଛାତ୍ରୀ ଜଣକ ଉତ୍ତରପ୍ରଦେଶର ଶାହାଜାନପୁର ସ୍ଥିତ ଚିନ୍ମୟାନନ୍ଦଙ୍କ ଦ୍ୱାରା ପରିଚାଳିତ ଏକ ଆଇନ କଲେଜରେ ଅଧ୍ୟୟନ କରୁଥିଲେ । ଚିନ୍ମୟାନନ୍ଦ ତାଙ୍କର ଅଶ୍ଳୀଳ ଭିଡିଓ ଶୁଟିଂ କରି ତାଙ୍କୁ ବର୍ଷାଧିକାଳ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଥିଲେ । ଛାତ୍ରୀଜଣକ ଏ ସମ୍ପର୍କରେ ଫେସବୁକ୍‌ରେ ଏକ ଭିଡିଓ ଭାଇରାଲ କରି ପୁରା ଘଟଣା ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏହାପରେ ଦେଶବ୍ୟାପୀ ଚାଞ୍ଚଲ୍ୟ ଖେଳିଯାଇଥିଲା । ତେବେ ଚିନ୍ମୟାନନ୍ଦ ପାଲଟା ଅଭିଯୋଗ ଆଣି ଛାତ୍ରୀ ଜଣକ ତାଙ୍କୁ ୫ କୋଟି ଟଙ୍କା ମାଗୁଥିବା ପାଲଟା ଅଭିଯୋଗ କରିଥିଲେ । ଏଥିପାଇଁ ଛାତ୍ରୀଙ୍କ ସହ ଆଉ ଦୁଇଜଣଙ୍କୁ ଗିରଫ କରାଯାଇଥିଲା । ଏବେ ସମସ୍ତେ ଜାମିନ୍‌ରେ ଅଛନ୍ତି ।

ରାଜ୍ୟ ସରକାର ଏହି ଘଟଣାର ତଦନ୍ତ କରିବା ପାଇଁ ଗତ ନଭେମ୍ବର ୬ ତାରିଖରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍‌ଆଇଟି) ଗଠନ କରିଥିଲେ । ଏସ୍‌ଆଇଟି ୪୭୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ଏଥିରେ ୧୦୫ ଜଣଙ୍କ ବୟାନ ରେକର୍ଡ କରାଯାଇଥିବା ବେଳେ ୨୦ ସାକ୍ଷୀଙ୍କୁ କୋର୍ଟରେ ହାଜର କରାଯାଇଥିଲା । କିନ୍ତୁ ଛାତ୍ରୀ ଜଣକ ଏବେ ନିଜ ବୟାନକୁ ବଦଳାଇଛନ୍ତି । ଚିନ୍ମୟାନନ୍ଦଙ୍କ ଉପରେ ଲଗାଇଥିବା ସମସ୍ତ ଅଭିଯୋଗକୁ ସେ ପ୍ରତ୍ୟାହାର କରିଛନ୍ତି ।