ନୂଆଦିଲ୍ଲୀ,ଏଜେନ୍ସି: ଆମେରିକାର ଗବେଷକମାନେ କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ୬୦୦୦ ବ୍ୟକ୍ତିଙ୍କ ଠାରୁ ସଂଗୃହୀତ ‘ଆଣ୍ଟିବଡି’ ନମୁନା ଅଧ୍ୟୟନ କରି ଜାଣିବାକୁ ପାଇଛନ୍ତି ଯେ ଏହି ବ୍ୟକ୍ତିମାନଙ୍କର ଶରୀରରେ ଅନ୍ୟୁନ ୫ ମାସ ପର୍ଯ୍ୟନ୍ତ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେଉଛି।
ଏରିଜୋନା ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଭାରତୀୟ ବଂଶୋଦ୍ଭବ ଦୀପ୍ତ ଭଟ୍ଟାଚାର୍ଯ୍ୟଙ୍କ ଏହି ଗବେଷଣାର ନେତୃତ୍ୱ ନେଇଥିଲେ। ସେ କହନ୍ତି, ‘ସାର୍ସ-କୋଭ୍-୨’ ସଂକ୍ରମଣ ହେବାର ୫ ରୁ ୭ ମାସ ମଧ୍ୟରେ ଉଚ୍ଚମାନର ‘ଆଣ୍ଟିବଡି’ ବା ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେଉଥିବା ଗବେଷଣାରୁ ସ୍ପଷ୍ଟ ହୋଇଛି।
ପ୍ରଫେସର ଜାଙ୍କୋ ନିକୋଲିଚ-ଜୁଗିଚଙ୍କ ପରିଚାଳିତ ଏହି ଅଧ୍ୟୟନ ‘ଇମ୍ୟୁନିଟି’ ଜର୍ଣ୍ଣାଲରେ ପ୍ରକାଶ ପାଇଛି। ଗବେଷଣଲବ୍ଧ ଫଳାଫଳ ବୁଝାଇବାକୁ ଯାଇ ବିଶେଷଜ୍ଞମାନେ କହିଛନ୍ତି, ଭୂତାଣୁ ଜୀବକୋଷଗୁଡିକୁ ସଂକ୍ରମିତ କରିବା କ୍ଷଣି ତାଙ୍କ ସହ ଲଢିବା ଲାଗି ପ୍ଳାଜମା କୋଷଗୁଡିକ ‘ଆଣ୍ଟିବଡି’ ସୃଷ୍ଟି କରନ୍ତି। ସଂକ୍ରମିତ ହେବାର ୧୪ ଦିନ ମଧ୍ୟରେ ଏହି ‘ଆଣ୍ଟିବଡି’ ସ୍ପଷ୍ଟ ହୋଇଯାଏ। ଦ୍ୱିତୀୟ ପର୍ଯ୍ୟାୟରେ ଶରୀରର ‘ରୋଗ ପ୍ରତିରୋଧକ ବ୍ୟବସ୍ଥା’ ଦୀର୍ଘାୟୁ ପ୍ଳାଜ୍ମା କୋଷ ସୃଷ୍ଟି କରନ୍ତି। ଏଥିରୁ ଉତ୍କୃଷ୍ଟ ଧରଣର ‘ଆଣ୍ଟିବଡି’ ସୃଷ୍ଟି ହୁଏ ଯାହା ଦୀର୍ଘସ୍ଥାୟୀ ରୋଗ ପ୍ରତିରୋଧକ ଭାବେ କାର୍ଯ୍ୟ କରେ। କିନ୍ତୁ, ଏହି ‘ଆଣ୍ଟିବଡି’ଗୁଡିକ ‘ସାର୍ସ-କୋଭ୍-୨’ ବିପକ୍ଷରେ ସ୍ଥାୟୀ ସୁରକ୍ଷା ଦେଇପାରିବେ କି, ନାହିଁ, ତାହାର ଉତ୍ତର ଦେବା କଷ୍ଟକର ବୋଲି ‘ଏରିଜୋନା ହେଲ୍ଥ ସାଇନ୍ସେସ’ର ବରିଷ୍ଠ ଉପାଧ୍ୟକ୍ଷ ମାଇକେଲ ଡି ଡେକ୍ କହିଛନ୍ତି।