ଦାଣ୍ଡିଭାଜା ପ୍ରାଥମିକ ସ୍କୁଲ ଦୁର୍ନୀତି ଘଟଣା: ଘଣ୍ଟ ଘୋଡାଉଛନ୍ତି ବିଭାଗୀୟ ବରିଷ୍ଠ ଅଧିକାରୀ !

କର୍ଲାମୁଣ୍ଡା,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍‌ ରେଗଡ଼ା ପଂଚାୟତ ଦାଣ୍ଡି ଭଜା ପ୍ରାଥମିକ ସ୍କୁଲରେ ପ୍ରଧାନଶିକ୍ଷକ ଶଙ୍କର ବାଗଙ୍କ ଦ୍ଵାରା ଦୁର୍ନୀତି ହୋଇଥିବା ନେଇ ଗ୍ରାମ ବାସୀ ଗତ ସୋମବାର ଭବାନୀପାଟଣା ଠାରେ ଆୟୋଜିତ ଜିଲ୍ଲାପାଳଙ୍କ ଯୁଗ୍ମ ଶୁଣାଣୀ ଶିବିରରେ ଅଭିଯୋଗ କରିଛନ୍ତି। ସ୍କୁଲ କମିଟି ଓ ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ସ୍କୁଲ ପ୍ରଧାନଶିକ୍ଷକ ସ୍କୁଲ ନିକଟରେ ଥିବା ହେତୁ ଅଧିକ ସମୟ ଘରେ ରହୁଥିବା, ପାଇଖାନା ଓ ସ୍କୁଲ ସାମଗ୍ରୀକୁ ନିଜ ପରିବାର ସଦସ୍ୟ ବ୍ୟବହାର କରୁଥିବା ଓ କୋଭିଡ ୧୯ ସମୟରେ (ଫୁଡ଼ ସିକ୍ୟୁରିଟି ଏଲାୱେନ୍ସ)କୁ ନିଜେ ହଡ଼ପ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ଜାଲ ଦସ୍ତ ଖତ କରି ହଜାର ହଜାର ଟଙ୍କା ହଡପ କରିଥିବା ଅଭିଯୋଗ କରିଛନ୍ତି ସ୍କୁଲ କମିଟି ସଭାନେତ୍ରୀ ପୁଷ୍ପାଞ୍ଜଳି ସାହୁ। ଶ୍ରୀ ଶଙ୍କର ବାଗ ଦୀର୍ଘ ୧୩ ବର୍ଷ ହେଲା ଏହି ସ୍କୁଲରେ ଶିକ୍ଷକତା ସହ ଦୁର୍ନୀତି କରିଆସୁଛନ୍ତି ଯଦି ସ୍କୁଲ ର କିଛି ଉନ୍ନତି ବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟାହ୍ନ ଭୋଜନ ସମ୍ପର୍କରେ ପଚାରିଲେ ତାଙ୍କ ସ୍ତ୍ରୀ ସହ ମିଶି କୋର୍ଟ କଚେରୀର ଭୟ ସଂଚାର କରୁଥିଲେ ବୋଲି ପୂର୍ବତନ ସ୍କୁଲ ସଭାପତି ସହ ଗ୍ରାମ ବାସୀ ମାନେ କର୍ଲାମୁଣ୍ଡା ନିତିଦିନ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ କହିଛନ୍ତି।

ଅଭିଯୋଗ ହେବା ପରେ ବ୍ଲକ ଗୋଷ୍ଠୀ ଶିକ୍ଷା ବିଭାଗ ତରଫରୁ କର୍ଯ୍ୟନୁଷ୍ଠାନ ବଦଳରେ ଘଟଣାକୁ ଚପାଇ ଦେବା ପାଇଁ ସ୍କୁଲକୁ ଆସି କମିଟି ଓ ଗ୍ରାମବାସୀଙ୍କ ସହ ଘନ ଘନ ବୈଠକ କରିଥିଲେ। ଗତ ବୁଧବାର ଦିନ କର୍ଲାମୁଣ୍ଡା ବ୍ଲକ୍ ଶିକ୍ଷା ବିଭାଗ ପକ୍ଷରୁ ଏକାଉଣ୍ଟାଣ୍ଟ କ୍ଷୀରୋଦ ବଡ଼ମାଲି, ପ୍ରଫୁଲ ତ୍ରିପାଠୀ, ଏମ୍‌ଡିଏମ୍‌ ଡିଇଓ ମନୋଜ ସାହୁ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସହଦେବ ସୁନା ପ୍ରମୁଖ ବିଦ୍ୟାଳୟକୁ ଯାଇ ସ୍କୁଲର ସମସ୍ତ କାଗଜ ପତ୍ର ଯାଞ୍ଚ କରିଥିବା ଜଣାପଡ଼ିଛି। ଏନେଇ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ତଦନ୍ତ ସରିବା ପରେ ପ୍ରଧାନଶିକ୍ଷକ ଠାରୁ ସମସ୍ତ ଟଙ୍କା ଆଦାୟ କରି ସ୍କୁଲ ଆକାଉଣ୍ଟରେ ଜମା କରାଯିବ ବୋଲି କହିଛନ୍ତି। ଅନ୍ୟପଟେ ଦୁର୍ନୀତି ଶିକ୍ଷକଙ୍କ ଉପରେ ଅଭିଭାବକ ଓ ସ୍କୁଲ କମିଟି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରୁଥିଲେ।

ଆଜିକୁ ଗୋଟିଏ ସପ୍ତାହରୁ ଅଧିକ ହୋଇଥିଲେ ମଧ୍ୟ ଶ୍ରୀ ଶଙ୍କର ବାଗଙ୍କୁ ବୋରପଦର ପ୍ରାଥମିକ ସ୍କୁଲ କୁ ବଦଳି କରିବା ସହ ଆଉ କିଛି ଆଖି ଦୃଶୀୟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଫଳରେ ଦାଣ୍ଡି ଭଜା ଗ୍ରାମର ଛାତ୍ରଛାତ୍ରୀ ମାନଙ୍କୁ ଏକ ସପ୍ତାହ ହେଲା ସ୍କୁଲକୁ ପାଠପଢିବା ପାଇଁ ଛାଡୁ ନାହାନ୍ତି। ଅନ୍ୟପଟେ ସହ ଶିକ୍ଷକ ସୁବାସ ସାହୁ ଘରଘର ବୁଲି ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଆସିବା ପାଇଁ ଅନୁରୋଧ କରୁଛନ୍ତି। ଦୁର୍ନୀତି ଖୋର ଅଧିକାରୀ ମାନଙ୍କୁ ବିଭାଗୀୟ ବରିଷ୍ଠ ଅଧିକାରୀ ମାନେ ଘଣ୍ଟ ଘୋଡାଉଛନ୍ତି ବୋଲି ବୁଦ୍ଧିଜୀବୀ ଓ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଶ୍ରୀ ବାଗଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସହ ସ୍କୁଲକୁ ଠିକ ଭାବରେ ପରିଚାଳନା କରିବା ପାଇଁ ଦାବି କରିଛନ୍ତି।