ସିଡବ୍ଲୁଜି-୨୦୨୨: ପାରା ଟିଟିରେ ଭାବିନାଙ୍କୁ ସ୍ବର୍ଣ୍ଣ

ବର୍ମିଂହାମ,ଏଜେନ୍ସି: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡା(ସିଡବ୍ଲୁଜି-୨୦୨୨) ଭାରତୀୟ କ୍ରୀଡାବିତଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ବିଭିନ୍ନ ଇଭେଣ୍ଟରେ ପଦକ ପରେ ପରେ ହାତେଇଛନ୍ତି ଖେଳାଳି । ପାରା ଆଥଲେଟ ଭାବିନା ପଟେଲ ତାଙ୍କ ବିଜୟ ଧାରା ବଜାୟ ରଖିଛନ୍ତି । ମହିଳା ପାରା ଟେବୁଲ ଟେନିସ କ୍ଲାସ ୩-୫ ବର୍ଗରେ ଭାରତ ପାଇଁ ସ୍ବର୍ଣ୍ଣ ଜିତିଛନ୍ତି ଭାବିନା । ଟୋକିଓ ଅଲମ୍ପିକ୍ସରେ ରୌପ୍ୟ ଜିତିଥିଲେ ଭାବିନା ପଟେଲ ।

ନାଇଜେରିଆର ଇଫେଚୁକଉଡ କ୍ରିଷ୍ଟିଆନା ଇକପୋଇଙ୍କୁ ୩-୦ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାବିନା । ସେ ୧୨-୧୦, ୧୧-୨ ଓ ୧୧-୯ ସେଟରେ ଏହି ମ୍ୟାଚ ଜିତିଛନ୍ତି । ଗୁଜୁରାଟର ମେହସାନା ଜିଲ୍ଲାର ସୁନ୍ଧିୟା ଗ୍ରାମରେ ଭାବିନାଙ୍କ ଜନ୍ମ । ଦିବ୍ୟାଙ୍କ ହୋଇ ମଧ୍ୟ ଦୃଢ ଆତ୍ମବିଶ୍ବାସ ଓ ପରିଶ୍ରମ ବଳରେ ସଫଳତା ହାସଲ କରିଛନ୍ତି ।

ପଦକ ଜିତିବା ପରେ ଭାବିନା କହିଛନ୍ତି, ‘‘ମୋ ପ୍ରଦର୍ଶନ ପାଇଁ ମୁଁ ଖୁସି । ୨୦୨୪ ଅଲମ୍ପିକ୍ସ ମୋର ଲକ୍ଷ୍ୟ । ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ନେଇ ମୁଁ ବହୁତ ଉତ୍ସାହିତ । ଏହି ପଦକକୁ ମୁଁ ମୋର ପରିବାର, କୋଚ, ବନ୍ଧୁ ଏବଂ ପ୍ରତିଟି ଭାରତୀୟଙ୍କୁ ଉତ୍ସର୍ଗ କରୁଛି ।’’

ସେହିପରି ମହିଳା ପାରା ଟେବୁଲ ଟେନିସ କ୍ଲାସ ୩-୫ ବର୍ଗରେ ଭାରତ ପାଇଁ କାଂସ୍ୟ ଜିତିଛନ୍ତି ସୋନଲ ବେନ ମନୁଭାଇ ପଟେଲ । ସେ ଇଂଲଣ଼୍ଡର ସୁବେଲୀଙ୍କୁ ୧୧-୫, ୧୧-୨ ଓ ୧୧-୩ ସେଟରେ ପରାସ୍ତ କରି ବ୍ରୋଞ୍ଜ ଜିତିଛନ୍ତି । ପଦକ ଜିତିବା ପରେ ସୋନଲ କହିଛନ୍ତି, ”କମନୱେଲଥ ଗେମ୍ସ ଏକକରେ ପ୍ରଥମ ପଦକ ଜିତି ମୁଁ ବହୁତ ଖୁସି । ମୋ ସ୍ବାମୀ, ପରିବାର, କୋଟ ଓ ଦେଶବାସୀଙ୍କୁ ଏ ପଦକ ଉତ୍ସର୍ଗ କରିୁଛି । ’’