ବେଆଇନ ଗୋରୁ ଚାଲାଣ, ଜଣେ ଗିରଫ

ଦେବଗଡ଼,ଏନ୍‌ଏନ୍‌ଏସ୍ : ବେଆଇନ ଗୋରୁ ଚାଲାଣ ବେଳେ ଆଜି ସକାଳେ ଦେବଗଡ଼ ଥାନା ପୁଲିସ ୨ କଣ୍ଟେନରକୁ ଅଟକାଇ ୮୪ ଗୋରୁ ଉଦ୍ଧାର କରିଛି । ସେଥିମଧ୍ୟରୁ ୪ ଗୋରୁ ମୃତ ଥିବା ଜଣାପଡ଼ିଛି । ଅନ୍ୟପଟେ ଏଥିରେ ସମ୍ପୃକ୍ତ ଥିବା ଜଣେ ଗିରଫ ହୋଇଥିବାବେଳେ ଅନ୍ୟ ୨ଜଣ ଫେରାର ଅଛନ୍ତି । ଗିରଫ ଅଭିଯୁକ୍ତ ଜଣକ ହେଲେ ଉତ୍ତରପ୍ରଦେଶ ସାମଲି ଜିଲ୍ଲାର ଟାପରାନା ଗ୍ରାମର ନଦିମ ଖାନ୍ ।

ମିଳିଥିବା ରିପୋର୍ଟ ମୁତାବକ, ବରଗଡ଼ରୁ କୋଲକାତାକୁ ବେଆଇନ ଗୋରୁ ଚାଲାଣ ନେଇ ପୁଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ୱାର୍ଡ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ୪୯ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଯାଞ୍ଚ କରୁଥିଲେ । ଏହି ସମୟରେ ଗୋଟିଏ କଣ୍ଟେନର ଓ ଏହାର ଚାଳକକୁ ଅଟକ ରଖି ଥିବାବେଳେ ଅନ୍ୟ ଏକ କଣ୍ଟେନର ପୁଲିସକୁ ଦେଖି ଫେରାର ହେଉଥିବାବେଳେ ଏସଡିପିଓ ଶ୍ରୀ ମହାପାତ୍ର ଏହାର ପିଛା କରିଥିଲେ । ଏହି ସମୟରେ ଫେରାର ହେଉଥିବା କଣ୍ଟେନର ଚାଳକ ପୁଲିସ ଗାଡ଼ିକୁ ଧକ୍କା ଦେବାକୁ ଉଦ୍ୟମ କରିଥିଲେ ହେଁ ଅଳ୍ପକେ ପୁଲିସ ଟିମ ବର୍ତ୍ତି ଯାଇଥିଲେ । କଣ୍ଟେନର ଚାଳକ ଭାଲୁମୁଣ୍ଡା ଗ୍ରାମ ଛକ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ କଣ୍ଟେନର ଛାଡ଼ି ଖସି ପଳାଇଥିଲା । ପୁଲିସ ୨ଟି ଯାକ କଣ୍ଟେନରକୁ ଜବତ କରିବା ସହ ସେଥିରେ ଥିବା ଗୋରୁଙ୍କୁ ରେଙ୍ଗାଳବେଡ଼ାସ୍ଥିତ ସେବା ଧାମରେ ଜିମା ଦେଇଛି । ସେହିପରି ୨ଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ବେଆଇନ ଗୋରୁ ଚାଲାଣର ମାଷ୍ଟରମାଇଣ୍ଡ ବରଗଡ଼ ଜିଲ୍ଲାରେ ରହି ନେଟୱାର୍କ ଚଳାଇଥିବା ପ୍ରାଥମିକ ତଦନ୍ତରେ ପୁଲିସ ଜାଣିବାକୁ ପାଇଛି ।