ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ ଧୂବୁଲିପଥର ଗ୍ରାମ ନିକଟସ୍ଥ ରାଞ୍ଚି-ବିଜୟୱାଡ଼ା ରାଜପଥ କଡ଼ରେ ଥିବା ଏକ ଢାବା ଉପରେ ବେଆଇନ କୋଇଲା କାରବାର ଅଭିଯୋଗରେ ଦେବଗଡ଼ ଥାନା ପୁଲିସ ଚଢ଼ଉ କରିଛି । ଫଳରେ ଏଥିରେ ସମ୍ପୃକ୍ତ ଥିବା ୨ଜଣ ଚୋରା କୋଇଲା ବ୍ୟବସାୟୀଙ୍କୁ ପୁଲିସ ଗିରଫ କରିଥିବାବେଳେ ଅନ୍ୟ ୨ଜଣ ଫେରାର ହୋଇଯାଇଛନ୍ତି । ଏଥିସହିତ ଏକ ପିକଅପ ଭ୍ୟାନକୁ ଜବତ କରିଥିବା ଜଣାପଡ଼ିଛି ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଧୂବୁଲିପଥର ଗ୍ରାମ ନିକଟରେ ଥିବା ବଟ ଢାବାରେ ବେଆଇନ ଚୋରା କୋଇଲା କାରବାର ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଦେବଗଡ଼ ଥାନା ପୁଲିସ ନଜର ରଖିଥିଲା । ଆଜି ଉକ୍ତ ଢାବାରୁ ଅଳ୍ପ ଦୂରରେ କୋଇଲା ବୋଝେଇ ଏକ ପିକଅପ ଭ୍ୟାନ ପହଂଚିବା ପରେ ପୁଲିସ ଚଢ଼ଉ କରି କାଗଜ ପତ୍ର ଯାଞ୍ଚ କରିଥିଲା । ମାତ୍ର ବୋଝେଇ କୋଇଲାର କୌଣସି କାଗଜ ପତ୍ର ଦେଖାଇ ନପାରିବାରୁ ଗାଡ଼ିରେ ଥିବା ଚାଳକ ବାରକୋଟ ଥାନା ଅନ୍ତର୍ଗତ ଦଣ୍ଡାସିଂହା ଗ୍ରାମର ପ୍ରେମାନନ୍ଦ ଦେହୁରୀ ଓ ରେଙ୍ଗାଲବାହାଲ ଗ୍ରାମର ସଚିନ କୁମାର ସାହୁଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରିବାରୁ ସେମାନେ ରେଙ୍ଗାଲବାହାଲ ଗ୍ରାମର କଳିଙ୍ଗ ସ୍ୱାଇଁ ବଟ ଢାବାକୁ କୋଇଲା ପଠାଇଥିବା ପ୍ରକାଶ କରିଥିଲେ । ପରେ ଦେବଗଡ଼ ଥାନା ପୁଲିସ ପ୍ରେମାନନ୍ଦ, ସଚ୍ଚିନ, କଳିଙ୍ଗ ଓ ବଟ ଢାବା ମାଲିକଙ୍କ ବିରୁଦ୍ଧରେ ଚୋରି ସମେତ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ଆଜି ସଚ୍ଚିନ ଓ ପ୍ରେମାନନ୍ଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟପଟେ କଳିଙ୍ଗ ଓ ବଟ ଢାବା ମାଲିକ ଫେରାର ହୋଇ ଯାଇଥିବା ନେଇ ପୁଲିସ ସୂଚନା ଦେଇଛି ।