ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରେ କୋକେନ କାରବାର ଧରାପଡ଼ିବା ପରେ ତନାଘନା ଚଲାଇଛି ଏସ୍ଟିଏଫ୍। ଆଉ ତଦନ୍ତରୁ ଯେଉଁ ତଥ୍ୟ ସାମ୍ନାକୁ ଆସୁଛି ତାହା ବେଶ୍ ଚିନ୍ତାଜନକ। ତଦନ୍ତ ଯେତିକି ଆଗଉଛି, ସେତେ ରହସ୍ୟ ଫିଟିବାରେ ଲାଗିଛି। ରାଜଧାନୀରୁ ‘କୋକେନ୍’ ଜବତ ହେବା ପରେ ଓଡ଼ିଶାର କୋଣ ଅନୁକୋଣକୁ ଏହା ଚାଲାଣ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି। ଯାହା ଉଭୟ ପୁଲିସ ଓ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।
ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ରବି ଏସ୍ଟିଏଫ୍ ହାତରେ ଧରାପଡ଼ିବା ପୂର୍ବରୁ ୨ରୁ ୩ଜଣ ଡିଲ୍ରଙ୍କୁ କୋକେନ୍ ହସ୍ତାନ୍ତର କରିଥିବା ଏସ୍ଟିଏଫ୍ ସନ୍ଦେହ କରୁଛି। ସେହି ଡିଲର୍ମାନେ କେଉଁ କେଉଁ ଅଞ୍ଚଳର ସ୍ପଷ୍ଟ ହୋଇନଥିବାବେଳେ ଜଣେ ଖୋର୍ଦ୍ଧାର ବୋଲି ଅନୁମାନ କରାଯାଉଛି। ଏହାଦ୍ୱାରା ଖାଲି ରାଜଧାନୀ ନୁହେଁ, ସାରା ଓଡ଼ିଶାକୁ କୋକେନ୍ ବ୍ୟାପିଯାଉଥିବା ସନ୍ଦେହ କରାଯାଉଛି। ତେଣୁ ସମ୍ପୃକ୍ତ ନିଶା ଡିଲର୍ଙ୍କ ସମ୍ପର୍କରେ ଜାଣିବାକୁ ଏସ୍ଟିଏଫ୍ ଗିରଫ ଅଭିଯୁକ୍ତଦ୍ୱୟ(ରବି ଓ ସନ୍ନି)ଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ। ଅନ୍ୟପକ୍ଷରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ବେଳେ ୫ଦିନ ପାଇଁ ରିମାଣ୍ଡ ଆବେଦନ ହୋଇଥିଲା। ଶନିବାର ରିମାଣ୍ଡ ଅନୁମତି ମିଳିପାରେ ବୋଲି ଏସ୍ଟିଏଫ୍ ଡିଆଇଜି ଜୟ ନାରାୟଣ ପଙ୍କଜ କହିଛନ୍ତି।
ସୂଚନା ଅନୁଯାୟୀ, ସନ୍ନି ହେଉଛି ରବିର ମାମୁଁ ପୁଅ ଭାଇ। ସନ୍ନି କହିବା ମୁତାବକ ରବି ପାଖାପାଖି ୧କିଲୋ କୋକେନ୍ ନେଇ ସୋମବାର ଓଡ଼ିଶା ଆସିଥିଲା। ସେହିଦିନ ୨ରୁ ୩ଜଣ ବେପାରୀଙ୍କୁ ପାଖାପାଖି ଅଧକିଲୋ କୋକେନ୍ ବିକ୍ରି କରିଦେଇଥିଲେ। ଭୁବନେଶ୍ୱରରେ ମାର୍କେଟ୍ରେ କୋକେନ୍ ବିକ୍ରି ହେବା ନେଇ ଏସ୍ଟିଏଫ୍ ବିଶେଷ ସୂତ୍ରରୁ ଖବର ପାଇଥିଲା। ଏହାପରେ ସମ୍ପୃକ୍ତ ନିଶାବେପାରୀଙ୍କୁ ଧରିବାକୁ ଏସ୍ଟିଏଫ୍ ଡିଆଇଜି ଜୟ ନାରାୟଣ ପଙ୍କଜ ତାଙ୍କ ଟିମ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଳମ୍ବ ନକରି ଏସ୍ଟିଏଫ୍ ଟିମ୍ ମଙ୍ଗଳବାର ଦିନ ତମାମ୍ ନିଶାବେପାରୀଙ୍କୁ ଖୋଜିଥିଲା। ପରେ ସେମାନେ କୋକେନ୍ ଧରି ଚନ୍ଦ୍ରଶେଖରପୁର ଜାଭିଅର ଛକ ଯାଇଥିବା ନେଇ ଏସ୍ଟିଏଫ୍ ଜାଣିବାକୁ ପାଇଥିଲା। ସାଦାପୋଷାକରେ ପୂର୍ବରୁ ଏସ୍ଟିଏଫ୍ ଟିମ୍ ସେଠାରେ ଛକି ରହିଥିଲା। ସୁଯୋଗ ଦେଖି ଦୁହିଁଙ୍କ ଉପରେ ମାଡ଼ି ବସିଥିଲା । ପରେ ତାଙ୍କ ନିକଟରୁ ୨୦୨ଗ୍ରାମର କୋକେନ୍ ଜବତ ହୋଇଥିଲା।
ସେପଟେ ରବି ପାଖରୁ କୋକେନର ପରିମାଣ ଅନୁଯାୟୀ ନଗଦ ଟଙ୍କା ମିଳିନାହିଁ। ତେଣୁ ସେ କୋକେନ୍ ବେପାର ଅନଲାଇନ୍ ଟ୍ରାଞ୍ଜାକ୍ସନରେ କରୁଥିବା ଜଣାପଡ଼ିଛି। ସୋମବାର ଓଡ଼ିଶାର ସେ କେଉଁ ବ୍ୟକ୍ତିଙ୍କ ସହ ଟଙ୍କା ଟ୍ରାଞ୍ଜାକ୍ସନ କରିଛି, ତାକୁ ଓଡ଼ିଶାର କିଏ; କେତେ ଟଙ୍କା ପଠାଇଛି, ସେନେଇ ଏସ୍ଟିଏଫ୍ ଯାଞ୍ଚ କରିବ। ଏଥିସହ ରବିର ମୋବାଇଲକୁ ଏସ୍ଟିଏଫ୍ ତନ୍ନତନ୍ନ କରି ଯାଞ୍ଚ କରିଛି। ତା’ ମୋବାଇଲରୁ ଚୀନ୍, ଦକ୍ଷିଣ ଆଫ୍ରିକା, ରୁଷ୍ ଭଳି ବିଦେଶୀ ନାଗରିକଙ୍କ ନମ୍ବର ବାହାରିଛି। ସେହି ଲୋକମାନେ ରବିକୁ କଲ୍ କରିଥିବାର ପ୍ରମାଣ ମଧ୍ୟ ମିଳିଛି। ତେଣୁ ରବି ଏକ ଅନ୍ତର୍ଜାତୀୟ ‘କୋକେନ୍’ ଡିଲର୍ ବୋଲି ଜଣାପଡ଼ିଛି। ଏହି ବିଦେଶୀ ନାଗରିକମାନେ ଦିଲ୍ଲୀ, ମୁମ୍ବାଇ ଆସିଲେ ରବିକୁ ଯୋଗାଯୋଗ କରନ୍ତି। ପରେ ତା’ ଠାରୁ ‘କୋକେନ୍’ କିଣନ୍ତି ବୋଲି ସୂଚନା ମିଳିଛି। ଆବଶ୍ୟକସ୍ଥଳେ ଏସ୍ଟିଏଫ୍ ସେମାନଙ୍କୁ ମଧ୍ୟ ଯୋଗାଯୋଗ କରିବ। ଏଥିସହ ଦିଲ୍ଲୀରେ ଥିବା ରବିର ବସ୍କୁ ଏସ୍ଟିଏଫ୍ ଧରିବାକୁ ଚେଷ୍ଟା ଚଳାଇଛି।
ଅନ୍ୟପକ୍ଷେ ସନ୍ନି ଓଡ଼ିଶା ଆସିବା ପରେ ସାଲିଆସାହିରେ ରହୁଥିଲା। ପରେ ମାର୍କେଟ୍ ବିଲ୍ଡିଂରେ ଚୁଡି, ପାଉଁଜି ଭଳି କସମେଟିକ୍ ଦୋକାନ କରିଥିଲା। ଏହି ସମୟରେ ମାର୍କେଟ୍ ବିଲ୍ଡିଂର ଏକ ସପିଂମଲ୍ରେ କାମ କରୁଥିବା ଜଣେ ଯୁବତୀଙ୍କ ସହ ତା’ର ପ୍ରେମ ହୋଇଥିଲା। ପରେ ସମ୍ପୃକ୍ତ ଯୁବତୀଙ୍କୁ ବାହା ହୋଇ ସାଲିଆସାହିରେ ରହୁଥିଲା। ସେହିପରି ରବି ହେଉଛି ସନ୍ନିର ସମ୍ପର୍କୀୟ ମାମୁଁ ପୁଅ ଭାଇ ବୋଲି ଜଣାପଡ଼ିଛି। ରବି ଓଡ଼ିଶା ଆସିବା ପୂର୍ବରୁ ସନ୍ନି ବ୍ରାଉନସୁଗର ବିକୁଥିବା ଡିଲ୍ରଙ୍କୁ କୋକେନ୍ କିଣିବାକୁ ପ୍ରବର୍ତ୍ତାଇ ଥିଲା। ଏନେଇ ୨ରୁ ୩ଜଣ ଡିଲର୍ ସେମାନଙ୍କ ଠାରୁ କୋକେନ୍ କିଣିଥିବା କୁହାଯାଉଛି।
କୋକେନ୍’ ଦକ୍ଷିଣ ଆମେରିକାରୁ ଉତ୍ପାଦନ ହୁଏ।
ବିଶେଷକରି କଲମ୍ବିଆ, ପେରୁ ଏବଂ ବୋଲିଭିଆରୁ ଉତ୍ପାଦନ ହୋଇଥାଏ। ୟୁଏସ୍ଏ ଏବଂ ୟୁରୋପର ଲୋକମାନେ ଏହାକୁ ଅତ୍ୟାଧିକ ମାତ୍ରାରେ ସେବନ କରନ୍ତି। ଭାରତରେ ଦିଲ୍ଲୀ ଓ ପଞ୍ଜାବ, ମୁମ୍ବାଇରେ ଏହାର ଚାହିଦା ରହିଛି। ହାଇପ୍ରୋଫାଇଲ ଲୋକସବୁ ଏହା କିଣନ୍ତି। ଏହାକୁ ଦୃଷ୍ଟିରେ ରଖି ରବି ଦିଲ୍ଲୀ ଓ ପଞ୍ଜାବରେ କୋକେନ୍ ବିକ୍ରି କରୁଥିଲା। ପରେ ଓଡ଼ିଶା ମୁହାଁ ହୋଇଥିବାବେଳେ ଏସ୍ଟିଏଫ୍ ମାଡ଼ିବସିଲା। ତା’ ଠାରୁ ୨୦୨ଗ୍ରାମ କୋକେନ୍ ଜବତ ହୋଇଛି। ଯାହା ଭାରତରେ ୫୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ।