ମାହାଙ୍ଗା କୁସୁପୁର ହତ୍ୟାକାଣ୍ଡର ଡେମୋ ଦେଖାଇଲା ଅଭିଯୁକ୍ତ

କୁଆଁପାଳ,ଏନ୍ଏନ୍ଏସ୍: କୁସୁପୁର ଗଣହତ୍ୟା ଘଟଣା ଉପରୁ ପରଦା ହଟେଇବା ପାଇଁ ଅଭିଯୁକ୍ତ ଶିବ ପ୍ରସାଦ ସାହୁଙ୍କୁ ଧରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୁରା ଘଟଣାର ସିନ୍ ରିକ୍ରିଏସନ୍ ପ୍ରକ୍ରିୟା ଜାରି ରହିଛି। ପୁଲିସ ଛାଉଣି ଭିତରେ ଏବେ କୁସୁପୁର। ହତ୍ୟାକାରୀ ଶିବ ଠାରୁ ସେହି କଳା ରାତ୍ରିର ଲୋମ ହର୍ଷଣକାରୀ ଘଟଣା ଉପରୁ ପରଦା ହଟାଇବାକୁ ଯୋଜନା କରିଛି ପୁଲିସ। କେମିତି ଏଭଳି ହତ୍ୟାକାଣ୍ଡ ଭିଆଇ ଥିଲା ଅଭିଯୁକ୍ତ ଶିବ। ବଡ଼ ଭାଇ ଅଲେଖ ସାହୁର ପୁରା ପରିବାରକୁ ନିପାତ କରିଦେଲା ସାନଭାଇ ଶିବ।

କଟୁରି ଚୋଟରେ ଜଣକ ପରେ ଜଣେ ଏମିତି ୫ ଜଣଙ୍କୁ ଗୋଟିଏ ଘର ଭିତରେ ହତ୍ୟା କରିଥିଲା। ସମ୍ପତି ବିବାଦର ପ୍ରତିଶୋଧ ନେବାକୁ ପଣ କରିଥିବା ଶିବ ଶେଷରେ ରକ୍ତ ମୁଖା ପାଲଟଇ ଯାଇଥିଲା। ଯେଉଁ ଘରେ ଘଟିଥିଲା ଏହି ନାରକୀୟ କାଣ୍ଡ, ସେହି ଯାଗାରେ ଶିବ ଦେଖାଇଛି ଡେମୋ। ହଜାର ହଜାର ଦେଖଣାହାରୀ ଦେଖୁଛନ୍ତି ଶିବ କିପରି ସଇତାନ ପାଲଟିଯାଇଥିଲା ଓ ଅମାନୁଷିକ ଭାବେ ମଣିଷ ମାରିଥିଲା। ଶିବ କିପରି ଏହି ମର୍ଡର କଲା, ସେତେବେଳେ ଆଉ କିଏ ଏ ସବୁ ଘଟଣଶ ଦେଖିଥିଲେ କି, ଏସବୁ ବାବଦରେ ଗୋଟିଏ ଗୋଟିଏ ବୟାନ ଦେଇଛି ଶିବ। ସେ ଏକୁଟିଆ ନିଜ ବଡ଼ ଭାଇ ପରିବାର ଉପରେ ପ୍ରତିଶୋଧ ନେବାକୁ ଏହି ଜଘନ୍ୟ କାଣ୍ଡ ଭିଆଇଥିବା ବୟାନ ଦେଇଛି।

ପୁଲିସ ସାମ୍ନାରେ ଏସବୁ ଦୃଶ୍ୟ ଦେଖାଇଥିଲା ହତ୍ୟାକାରୀ ଶିବ। ଅଭିଯୁକ୍ତ ଶିବକୁ ତିନି ଦିନିଆ ରିମାଣ୍ଡରେ ଆଣିଥିଲା ମାହାଙ୍ଗା ପୁଲିସ। ଗତକାଲି ଶିବ ଅସୁସ୍ଥ ହୋଇପଡିଥିବାରୁ ଆଜି ଦ୍ୱିତୀୟ ଦିନରେ ତାକୁ କୁସୁପୁର ନିଆଯାଇଥିଲା। ଏହି ଗଣହତ୍ୟା ଘଟଣାରେ ଅନ୍ୟକାହାରି ସମ୍ପୃକ୍ତି ଅଛି କି ନାହିଁ ସେନେଇ ଶିବ କ’ଣ କହିଥିଲା ତାହା ସ୍ପଷ୍ଟ ହୋଇନି। ପ୍ରଥମରୁ ଏକୁଟିଆ ହତ୍ୟାକାରୀ ବୋଲି ବୟାନ ଦେଇଛି ଶିବ। ପୁଲିସ ଅଧିକ ତଦନ୍ତ ଚଳାଇଥିବାରୁ ନୂଆ ତଥ୍ୟ ଗଣମାଧ୍ୟକୁ ଆସିପାରି ନାହିଁ।