ସାଧାରଣତନ୍ତ୍ର ଦିବସ ପରେଡରେ ଅତିଥି ହେବେ ଆଇଆଇଟି ଛାତ୍ର ଅନିକେତ୍

ନୂଆଦିଲ୍ଲୀ,ଏଜେନ୍ସି: ଜାନୁଆରୀ ୨୬ରେ ଦେଶବ୍ୟାପୀ ସାଧାରଣତନ୍ତ୍ର ଦିବସ ପାଳିତ ହେଉଥିବାବେଳେ ସେଦିନ ରାଜପଥରେ ଅନୁଷ୍ଠିତ ହେଉଥିବା ପରେଡ୍ ଉପରେ ସମସ୍ତଙ୍କ ଦୃଷ୍ଟି ରହିଥାଏ। ଚଳିତବର୍ଷ କୋଭିଡ୍ ଯୋଗୁଁ କୌଣସି ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କୁ ମୁଖ୍ୟଅତିଥି ଆସନରେ ଦେଖିବାକୁ ମିଳିବ ନାହିଁ। ତେବେ ସେଦିନ ପରେଡ୍ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ଆଇଆଇଟି ଛାତ୍ରଙ୍କୁ ଅତିଥିଭାବେ ଆମନ୍ତ୍ରଣ କରିଥିବା ଜଣାପଡିଛି। ଉତ୍ତରପ୍ରଦେଶର ଗୋରଖପୁର ନିବାସୀ ଅନିକେତ୍ ମିଶ୍ର ବର୍ତ୍ତମାନ ଗୁଆହାଟୀ ଆଇଆଇଟିରେ କମ୍ପ୍ୟୁଟର ସାଇନ୍ସ ଦ୍ୱିତୀୟ ବର୍ଷର ଛାତ୍ରଭାବେ ଅଧ୍ୟୟନ କରୁଛନ୍ତି। ମୋଦୀ ଇତିମଧ୍ୟରେ ଅନିକେତଙ୍କୁ ଅତିଥିର ସମ୍ମାନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଅନିକେତ୍ ନିଜର ମାଉସୀଙ୍କ ସହ ଜାନୁଆରୀ ୨୫ରେ ଦିଲ୍ଲୀରେ ପହଞ୍ଚିବାପରେ ସେମାନଙ୍କୁ ହୋଟେଲ ଅଶୋକାର ଭିଆଇପି ପ୍ରକୋଷ୍ଠରେ ରଖାଯିବ। ୨୬ ସକାଳେ ଅନିକେତଙ୍କୁ ଭିଆଇପି ବକ୍ସରେ ମୋଦୀଙ୍କ ନିକଟରେ ବସିଥିବା ଲକ୍ଷ୍ୟ କରାଯିବ। ଏଭଳି ଏକ ସୁଯୋଗ ମିଳିଥିବାରୁ ଅନିକେତ୍ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି। ଅନିକେତ୍ଙ୍କ ବ୍ୟତୀତ ଉକ୍ତ ପରେଡ୍ ନିମନ୍ତେ ଗୋରଖପୁରର ଜଣେ ମେଧାବୀ ଛାତ୍ରୀ ଦିବ୍ୟାଙ୍ଗୀ ତ୍ରିପାଠୀଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି। ଭିଆଇପି ବକ୍ସରେ ଅନିକେତଙ୍କ ସହ ଦିବ୍ୟାଙ୍ଗୀଙ୍କୁ ମଧ୍ୟ ଦେଖିବାକୁ ମିଳିବ।