ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତା : ୨ୟ ସ୍ଥାନରେ ସୂର୍ଯ୍ୟ

ଦୁବାଇ,ଏଜେନ୍ସି: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ପୁରୁଷ ଟ୍ବେଣ୍ଟି-୨୦ ମାନ୍ୟତାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ମାନ୍ୟତାରେ ଉନ୍ନତି ହୋଇଛି । ସୂର୍ଯ୍ୟକୁମାର ଜୀବନର ଶ୍ରେଷ୍ଠ ମାନ୍ୟତା ଦ୍ବିତୀୟ ସ୍ଥାନରେ ପହଞ୍ଚିନ୍ତି। ସୂର୍ଯ୍ୟକୁମାର ୮୦୧ ରେଟିଂ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଅନ୍ତିମ ମ୍ୟାଚରେ ସୂର୍ଯ୍ୟକୁମାର ୩୬ଟି ବଲରୁ ୬୯ରନ କରିଥିଲେ। ସୂର୍ଯ୍ୟଙ୍କ ଉକ୍ତ ପ୍ରଦର୍ଶନ ବଳରେ ଭାରତ ଶୃଙ୍ଖଳାକୁ ୨-୧ରେ ଜିତି ନେଇଥିଲା। ଗତ ଅଗଷ୍ଟ​ରେ‌ ସୂର୍ଯ୍ୟକୁମାର ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଭଲ ପ୍ରଦର୍ଶନ କରିବା ସହିତ ମାନ୍ୟତାର ଦ୍ବିତୀୟ ସ୍ଥାନ ହାସଲ କରିଥିଲେ। ପାକିସ୍ତାନ ଅଧିନାୟକ ବାବର ଆଜାମଙ୍କୁ ପଛରେ ପକାଇ ସୂର୍ଯ୍ୟକୁମାର ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏକ ସମୟରେ ବାବର ଏକ ନମ୍ବର ସ୍ଥାନରେ ରହିଥିଲେ। ବାବରଙ୍କୁ ନିଜ ଓପନିଂ ପାର୍ଟନର ମହମ୍ମଦ ରିଜ୍‌ୱାନା ପଛରେ ପକାଇ ଏକ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଥିଲେ। ଏବେ ବାବରଙ୍କୁ ପଛରେ ପକାଇ ସୂର୍ଯ୍ୟକୁମାର ଦ୍ବିତୀୟ ସ୍ଥାନରେ ରହିଛନ୍ତି। ବାବର ଏବେ ୩ୟ ସ୍ଥାନକୁ ଖସି ଆସିଛନ୍ତି।

ଭାରତୀୟ ଅଧିନାୟକ ରୋହିତ ଶର୍ମା ୧୪ତମ ସ୍ଥାନରୁ ୧୩ତମ ସ୍ଥାନରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଓ ୩ୟ ଟ୍ବେଣ୍ଟି-୨୦ରେ ଯଥାକ୍ରମେ ୪୬ ଓ ୧୭ରନ କରିଥିଲେ। ବୋଲିଂ ମାନ୍ୟତାରେ ଭାରତୀୟ ସ୍ପିନର ଅକ୍ଷର ପଟେଲ ୧୫ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୩୩ତମ ସ୍ଥାନରୁ ୧୮ତମ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ଯୁଜୁବେନ୍ଦ୍ର ଚହଲ ୨୮ତମ ସ୍ଥାନରୁ ୨୬ତମ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ଜୋସ୍ ହାଜେଲଉଡ୍‌ ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି। ବ୍ୟାଟିଂରେ ଅଷ୍ଟ୍ରେଲିଆ ମାଥ୍ୟୁ ୱାଡେ ୬ଟି ସ୍ଥାନ ଉପରକୁ ଉନ୍ନିିତ ହୋଇ ୬୨ତମ ସ୍ଥାନ, କାମେରୁନ ଗ୍ରୀନ ୬୭ତମ ସ୍ଥାନରେ ରହିଛନ୍ତି।

ଗ୍ରୀନ ଓ ଡେଭିଡ୍‌ ଭାରତ ବିପକ୍ଷ ଶୃଙ୍ଖଳାରେ ଭଲ ପ୍ରଦର୍ଶନ ପାଇଁ ମାନ୍ୟତାରେ ଉନ୍ନତି ଘଟିଛି। ଇଂଲଣ୍ଡର ହ୍ୟାରି ବ୍ରୁକ୍‌ସ ପାକିସ୍ତାନ ବିପକ୍ଷ ଚାଲିଥିବା ଶୃଙ୍ଖଳାରେ ଭଲ ପ୍ରଦର୍ଶନ କରି ୨୯ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ବୋଲିଂରେ ଇଂଲଣ୍ଡର ରେସ ଟପ୍‌ଲେ ୨୩ତମ ସ୍ଥାନରୁ ୧୪ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।