ଆର୍‌ମେନିଆକୁ ୨ ହଜାର କୋଟିର ଯୁଦ୍ଧାସ୍ତ୍ର ବିକିବ ଭାରତ

ନୂଆଦିଲ୍ଲୀ,ଏଜେନ୍ସି: ଆର୍‌ମେନିଆ ସହ ୨ ହଜାର କୋଟି ଟଙ୍କାର ଯୁଦ୍ଧାସ୍ତ୍ର ବିକ୍ରି ଚୁକ୍ତି କରିଛି ଭାରତ । ବର୍ତ୍ତମାନ ଆର୍‌ମେନିଆ ଓ ଆଜରବାଇଜାନ୍‌ ମଧ୍ୟରେ ନାଗୋର୍ନ-କାରାବାଗ ସୀମା ବିବାଦ ଲାଗି ରହିଛି । ଦୀର୍ଘଦିନ ଧରି ଏହି ବିବାଦ ଲାଗି ରହିଥିବା ବେଲେ ବର୍ତ୍ତମାନ ଏହା ଧୀରେଧୀରେ ହିଂସାତ୍ମକ ରୂପ ନେବାରେ ଲାଗିଛି । ଏପରିକି ଯୁଦ୍ଧସ୍ଥିତି ଉପୁଜିଥିବାରୁ ଆର୍‌ମେନିଆ ଭାରତଠାରୁ ଯୁଦ୍ଧାସ୍ତ୍ର କିଣିବାକୁ ସ୍ଥିର କରିଛି ।

ଆର୍‌ମେନିଆକୁ ଭାରତ ଅସ୍ତ୍ର, ମିସାଇଲ୍ ଓ ରକେଟ ଆଦି ବିକ୍ରି କରିବ । ଏଥିରେ ପିନାକା ମଲ୍ଟି ବାରେଲ ରକେଟ ଲଞ୍ଚର ମଧ୍ୟ ସାମିଲ ରହିଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଜାତୀୟ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ଏହି ସବୁ ଯୁଦ୍ଧାସ୍ତ୍ର ବିକଶିତ କରିଛି । ତେବେ ପିନାକା ମଲ୍ଟି ବାରେଲ ରକେଟ ଲଞ୍ଚର ଏକ ଘରୋଇ କମ୍ପାନୀ ଦ୍ବାରା ବିକଶିତ ହୋଇଛି । ବର୍ତ୍ତମାନ ସୁଦ୍ଧା ଭାରତୀୟ ସେନାରେ ୪ଟି ପିନାକା ମଲ୍ଟି ବାରେଲ ରକେଟ ଲଞ୍ଚର ସାମିଲ ହୋଇଛି । ଆଗାମୀ ଦିନରେ ସେନାରେ ଆହୁରି ୬ଟି ପିନାକା ମଲ୍ଟି ବାରେଲ ରକେଟ ଲଞ୍ଚର ସାମିଲ ହେବ ।

ଆର୍‌ମେନିଆକୁ ଆଣ୍ଟି ଟ୍ୟାଙ୍କ୍‌ ରକେଟ ବିକ୍ରି କରିବ ଭାରତ । ଏହାପୂର୍ବରୁ ଆର୍‌ମେନିଆକୁ ୱିପନ ସିଷ୍ଟମ ବିକ୍ରି କରିଥିଲା ଭାରତ । ୨୦୨୦ରେ ମଧ୍ୟ ଭାରତ ସହ ଆର୍‌ମେନିଆ ୪ଟି ୱିପନ ଲୋକେଟର ରାଡାର ସ୍ବାତୀ କିଣିବାକୁ ଚୁକ୍ତି କରିଥିଲା । ଏହି ଚୁକ୍ତି ଦ୍ବାରା ଭାରତକୁ ଅନେକ ଲାଭ ହୋଇଥିଲା । କାରଣ ଋଷିଆ ଓ ପୋଲାଣ୍ଡ ମଧ୍ୟ ଆର୍‌ମେନିଆକୁ ଏହି ଅସ୍ତ୍ର ବିକ୍ରି କରିବାକୁ ଚାହୁଁଥିଲେ ।

ଯୁଦ୍ଧାସ୍ତ୍ର ବିକ୍ରି କ୍ଷେତ୍ରରେ ଆର୍‌ମେନିଆ ସହ ହୋଇଥିବା ଚୁକ୍ତି ଭାରତକୁ ଯୁଦ୍ଧାସ୍ତ୍ର ତିଆରି ପାଇଁ ପ୍ରୋତ୍ସାହନ ଯୋଗାଇବ । ତାଛଡ଼ା ଯୁଦ୍ଧାସ୍ତ୍ର ବିକ୍ରି ବୈଶ୍ବିକ ରାଜନୀତି ଦୃଷ୍ଟିକୋଣରୁ ଭାରତର ଏକ ବିଜୟ ସଦୃଶ । ଆର୍‌ମେନିଆ ଓ ଆଜରବାଇଜାନ୍‌ ଦୀର୍ଘ ଦିନ ଧରି ସୀମା ବିବାଦ ଲାଗି ରହିଛି । ୨୦୨୧ରୁ ଏହି ବିବାଦ ଉଗ୍ରରୂପ ନେବା ଆରମ୍ଭ କରିଛି ।