ଭିଜିଲାନ୍ସ ଜାଲରେ ଫରେଷ୍ଟ ଗାର୍ଡ

ପାଟଣାଗଡ଼,ଏନ୍ଏନ୍ଏସ୍‌: ସ୍ଥାନୀୟ ଜଙ୍ଗଲ ବିଭାଗର ଏକ ଫରେଷ୍ଟ ଗାର୍ଡ ଲଷ୍ମୀନାରାୟନ ସ୍ୱାଇଁ ପାଟଣାଗଡ଼ ବନ ବିଭାଗର ପରୁଆଭାଡ଼ି ବିଟ୍‌ରେ କାର୍ଯ୍ୟକରୁଥିବା ବେଳେ ବନ ସୁରକ୍ଷା ସମିତିର ଜଣେ ସଭାପତିଙ୍କ ଠାରୁ ନିଜ କାର୍ଯ୍ୟାଳୟ ଠାରେ ସନ୍ଧ୍ୟା ସମୟରେ ୧୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଜଗି ରହିଥିବା ସମ୍ବଲପୁର ଭିଜିଲାନ୍ସ ବିଭାଗର ଅଧିକାରୀଙ୍କ ହାତରେ ଧରାପଡିଥିବା ଜଣାପଡ଼ିଛି। ଖବର ଅନୁଯାୟୀ ପୋଡ଼ଛାପଡ଼ ଗ୍ରାମରେ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ କାମ ଚାଲି ଥିବାବେଳେ ସେହି କାମକୁ ନେଇ ପୋଡ଼ଛାପଡ଼ ବନସଂରକ୍ଷକ ସମିତିର ସଭାପତି ଉକ୍ତ କାମକୁ ଦେଖା କରୁଥିଲେ। ଏହି କାମରେ ଜଣେ ଶ୍ରମିକଙ୍କ ନାଁରେ ମାଷ୍ଟର ରୋଲ ତିଆରି କରିଥିଲେ। ହେଲେ ପାରିଶ୍ରମିକ ପାଉଣା ଅନ୍ୟ ଜଣଙ୍କ ନାମରେ ଥିବା ପାସ ବହିରେ ୧୬ ହଜାର ଟଙ୍କା ଜମା କରାଇଥିଲେ।

ଉକ୍ତ ଟଙ୍କାକୁ ନେଇ ଫରେଷ୍ଟଗାର୍ଡ ଓ ବନସୁରକ୍ଷା ସଭାପତିଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ସଭାପତି ସବୁ କଥା ସମ୍ବଲପୁର ଭିଜିଲାନ୍ସକୁ କହିବାରୁ ପୂର୍ବ ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ବନ ସୁରକ୍ଷା ସଭାପତି ୧୬ ହଜାର ଟଙ୍କା ଲାଞ୍ଚ ଦେଉଥିଲା ବେଳେ ଭିଜିଲାନ୍ସ ବିଭାଗ କର୍ମଚାରୀ ମାନେ ଫରେଷ୍ଟ ଗାର୍ଡ ଲଷ୍ମୀନାରାୟନ ସ୍ବାଇଁଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ଏନେଇ ଭିଜିଲାନ୍ସ କେସ୍‌ ନଂ ୩୪/୨୨ରେ ଏକ ମାମଲା ରୁଜ୍ଜୁ କରି ଫରେଷ୍ଟ ଗାର୍ଡ ସ୍ବାଇଁଙ୍କୁ ଏକ ଅଜଣା ସ୍ଥାନକୁ ନେଇ ଅଧିକ ତଦନ୍ତ କରୁଥିବା ଜଣାପଡିଛି।