ଆଇବିଏ ୱିମେନ୍ସ ୱାର୍ଲ୍ଡ ବକ୍ସିଂ ଚାମ୍ପିଅନ୍‌ଶିପ୍‌: ପଦକ ପକ୍କାକଲେ ଜରିନ୍‌, ମନୀଷା ଓ ପରବୀନ୍‌

ଇସ୍ତାନବୁଲ୍‌(ତୁର୍କୀ),ଏଜେନ୍ସି: ଏଠାରେ ଚାଲିଥିବା ଆଇବିଏ ୱିମେନ୍ସ ୱାର୍ଲ୍ଡ ବକ୍ସିଂ ଚାମ୍ପିଅନ୍‌ଶିପ୍‌ରେ ଭାରତ ପାଇଁ ୩ଟି ପଦକ ପକ୍କା କରିଛନ୍ତି । ସେମାନେ ହେଲେ ୫୨ କିଗ୍ରା ବର୍ଗରେ ନିଖତ୍ ଜରିନ୍‌, ୫୭ କିଗ୍ରା ବର୍ଗରେ ମନୀଷା ଓ ୬୩ କିଗ୍ରା ବର୍ଗରେ ପରବୀନ୍ ହୁଡ୍ଡା । ଜରିନ୍ ଗତ ଷ୍ଟ୍ରାଞ୍ଜା ମେମୋରିଆଲ୍ ଟୁର୍ଣ୍ଣାମେଣ୍ଟ୍‌ରେ ସ୍ୱର୍ଣ୍ଣପଦକ ପାଇବା ପରେ କ୍ରମାଗତ ଭାବେ ଉନ୍ନତ ପ୍ରଦର୍ଶନ କରିଆସିଛନ୍ତି । ସେ ଏଠାରେ ଏହି ଧାରାକୁ ଜାରି ରଖି ସୋମବାର ତଙ୍କ କ୍ୱାର୍ଟର୍ ଫାଇନାଲ୍ ମୁକାବିଲାରେ ଇଂଲଣ୍ଡର ଚାର୍ଲି-ସିଆନ୍ ଡେଭିସନ୍‌ଙ୍କୁ ୫-୦ରେ ପରାସ୍ତ କରି ସେମିଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି ।

ପ୍ରଥମ ରାଉଣ୍ଡ୍‌ରେ ୨୫ ବର୍ଷୀୟା ତେଲେଙ୍ଗାନା ବକ୍ସର୍ ଜରିନ୍ ଜବରଦସ୍ତ ପଞ୍ଚ୍ ମାରିବାରେ ସକ୍ଷମ ହୋଇଥିଲେ । ଅବଶ୍ୟ ଏହି ରାଉଣ୍ଡ୍‌ରେ ଡେଭିସନ୍ ମଧ୍ୟ କେତୋଟି ଉଲ୍ଲେଖନୀୟ ଆକ୍ରମଣ କରିଥିଲେ । କିନ୍ତୁ ଦ୍ୱିତୀୟ ରାଉଣ୍ଡ୍‌ରେ ଜରିନ୍ ସମ୍ପୂର୍ଣ୍ଣ ଭାବେ ପ୍ରଭାବ ବିସ୍ତାର କରିଥିଲେ । ତାଙ୍କ କ୍ରମାଗତ ଆକ୍ରମଣରେ ଡେଭିସନ୍ କ୍ଳାନ୍ତ ଅନୁଭବ କରିବା ପରି ଅନୁଭବ ହୋଇଥିଲା । ଶେଷ ଦୁଇ ରାଉଣ୍ଡ୍‌ରେ ସେ ରକ୍ଷଣାତ୍ମକ ପ୍ରଦର୍ଶନ କରିବା ଫଳରେ ଡେଭିସନ୍ କୌଣସି ପଏଣ୍ଟ୍ ପାଇବାରେ ଅକ୍ଷମ ହୋଇଥିଲେ । ସେହିପରି ମନୀଷା ତାଙ୍କ କ୍ୱାର୍ଟର୍ ମୁକାବିଲାରେ ମଙ୍ଗୋଲିଆର ନାମୁନ୍ ମୋନ୍‌ଖୋର୍‌ଙ୍କୁ ୪-୧ର ସ୍ପ୍ଲିଟ୍ ନିଷ୍ପତ୍ତିରେ ପରାସ୍ତ କରିଥିଲେ ।

ଶେଷରେ ପରବୀନ୍ ତାଜିକ୍‌ସ୍ତାନର ଶୋଇରା ଜୁଲ୍‌କାନେରାଭାଙ୍କୁ ୫-୦ରେ ପରାସ୍ତ କରି ଭାରତ ପାଇଁ ତୃତୀୟ ପଦକ ନିଶ୍ଚିତ କରିଥିଲେ । କିନ୍ତୁ ଅନ୍ୟତମ ଭାରତୀୟ ପ୍ରତିଯୋଗୀ ନୀତୁ ୪୮ କିଗ୍ରା ବର୍ଗ କ୍ୱ୍‌ାର୍ଟର୍‌ରେ ୨-୩ର ସ୍ପ୍ଲିଟ୍ ନିଷ୍ପତ୍ତିରେ ଏସୀୟ ଚାମ୍ପିଅନ୍ କଜାଖ୍‌ସ୍ତାନର ଆଲୁଆ ବାଲକିବେକୋଭାଙ୍କଠାରୁ ପରାସ୍ତ ହୋଇଛନ୍ତି ।