ୱିମେନ୍ସ ଟି-୨୦ ଚାଲେଞ୍ଜ୍ ଟିମ୍ ଓ କାର୍ଯ୍ୟସୂଚୀ ଘୋଷଣା: ମିତାଲି ଓ ଝୁଲନ୍ ବାଦ୍‌, ଦୀପ୍ତିଙ୍କୁ ଭେଲୋସିଟି ନେତୃତ୍ୱ

ମୁମ୍ବାଇ,ଏଜେନ୍ସି: ଆସନ୍ତା ୨୩ ତାରିଖଠାରୁ ପୁଣେସ୍ଥିତ ଏମ୍‌ସିଏ ଷ୍ଟାଡିୟମ୍‌ଠାରେ ୱିମେନ୍ସ ଟି-୨୦ ଚାଲେଞ୍ଜ୍‌ର ଚତୁର୍ଥ ସଂସ୍କରଣ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟ୍‌ର ଉଦ୍‌ଘାଟନୀ ମ୍ୟାଚ୍ ଟ୍ରେଲ୍‌ବ୍ଲେଜର୍ସ ଓ ସୁପର୍‌ନୋଭାସ୍ ଟିମ୍ ମଧ୍ୟରେ ସନ୍ଧ୍ୟାରେ ଖେଳାଯିବ। ସେହିପରି ୨୪ ତାରିଖ ଅପରାହ୍ଣ ୩ଟା ବେଳେ ସୁପର୍‌ନୋଭାସ୍ ସହ ଭେଲୋସିଟିର ଏବଂ ୨୬ ତାରିଖ ସନ୍ଧ୍ୟାରେ ଶେଷ ଲିଗ୍ ମ୍ୟାଚ୍ ଭେଲୋସିଟି ଓ ଟ୍ରେଲ୍‌ବ୍ଲେଜର୍ସ ମଧ୍ୟରେ ଖେଳାଯିବ ବୋଲି ସୋମବାର ଆୟୋଜକ ବିସିସିଆଇ ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା ପରେ ସ୍ପଷ୍ଟ ହୋଇଛି। ସେହିପରି ଟୁର୍ଣ୍ଣାମେଣ୍ଟ୍‌ର ଫାଇନାଲ୍ ମ୍ୟାଚ୍ ଆସନ୍ତା ୨୮ ତାରିଖରେ ଖେଳାଯିବ।

ଅନ୍ୟପକ୍ଷରେ ଏହି ସଂସ୍କରଣରେ ଭାରତୀୟ ମହିଳା କ୍ରିକେଟ୍‌ର ଦୁଇ ଜଣ ଭେଟେରାନ୍ ଖେଳାଳି ମିତାଲି ରାଜ୍ ଓ ଝୁଲନ୍ ଗୋସ୍ୱାମୀ ଖେଳିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଏହାଛଡ଼ା ଗତ ୨୦୨୦ ସଂସ୍କରଣରେ ଭାଗନେଇଥିବା ପେସର୍ ଶିଖା ପାଣ୍ଡେ ମଧ୍ୟ ଖେଳିବେ ନାହିଁ ବୋଲି ଜଣାପଡ଼ିଛି। ହରମନ୍‌ପ୍ରୀତ୍ କୌର୍ ଓ ସ୍ମୃତି ମନ୍ଧାନା ପୂର୍ବ ପରି ଯଥାକ୍ରମେ ସୁପର୍‌ନୋଭାସ୍ ଓ ଡିଫେଣ୍ଡିଙ୍ଗ୍ ଚାମ୍ପିଅନ୍ ଟ୍ରେଲ୍‌ବ୍ଲେଜର୍ସ ଟିମ୍‌ର ନେତୃତ୍ୱ ନେବାକୁ ଥିବା ବେଳେ ଭେଲୋସିଟିର ଅଧିନାୟିକା ଦାୟିତ୍ୱ ଅଲ୍‌ରାଉଣ୍ଡର୍ ଦୀପ୍ତି ଶର୍ମା ତୁଲାଇବେ। ସର୍ବମୋଟ ୧୨ ଜଣ ବିଦେଶୀ ଖେଳାଳି ୩ଟି ଦଳରେ ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରେ ସାଉଥ୍ ଆଫ୍ରିକା ଓପନର ଲୌରା ଉଲ୍‌ଭାର୍ଟ ଓ ବିଶ୍ୱର ଏକ ନମ୍ବର ବୋଲର୍ ଇଂଲଣ୍ଡର ସୋଫି ଏକ୍ଲେଷ୍ଟୋନ୍ ପ୍ରମୁଖ।

ଥାଇଲାଣ୍ଡ୍‌ର ନାଥାକାନ୍ ଚାଣ୍ଡମ୍ ଦ୍ୱିତୀୟ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟ୍‌ରେ ଅଂଶଗ୍ରହଣ କରିବେ ବୋଲି ବିସିସିଆଇ ପକ୍ଷରୁ ଜାରି ସୂଚନାରୁ ଜଣାପଡ଼ିଛି। ତିନିଟି ଟିମ୍‌ରେ ଏକମାତ୍ର ଅଷ୍ଟ୍ରେଲୀୟ ଖେଳାଳି ଭାବେ ଲେଗ୍ ସ୍ପିନର୍ ଆଲାନା କିଙ୍ଗ୍ ରହିଥିବା ବେଳେ ଇଂଲଣ୍ଡରୁ ଏକ୍ଲେଷ୍ଟୋନ୍‌ଙ୍କ ବ୍ୟତୀତ ସୋଫିଆ ଡଙ୍କଲି ଓ କେଟ୍ କ୍ରସ୍ ରହିଛନ୍ତି। ସେହିପରି ବାଂଲାଦେଶରୁ ସଲମାନ୍ ଖାତୁନ୍ ଓ ଶର୍ମିନ୍ ଅଖ୍‌ତର, ୱେଷ୍ଟ୍‌ଇଣ୍ଡିଜ୍‌ରୁ ଡିଣ୍ଡ୍ରା ଡଟ୍ଟିନ୍ ଓ ହେଲି ମାଥ୍ୟୁଜ୍ ସାମିଲ୍ ହୋଇଛନ୍ତି। ସେମାନଙ୍କ ବ୍ୟତୀତ ସାଉଥ୍ ଆଫ୍ରିକାରୁ ଲୌରାଙ୍କ ବ୍ୟତୀତ ଅଧିନାୟିକା ସୁନ୍ ଲୁସ୍ ଓ ପେସର୍ ଆୟାବୋଙ୍ଗା ଖାତାଙ୍କୁ ମଧ୍ୟ ନିଆଯାଇଛି। ସେହିପରି ବିସିସିଆଇ ପକ୍ଷରୁ ଆୟୋଜିତ ସିନିୟର୍ ୱିମେନ୍ସ ଟି-୨୦ ଟ୍ରଫିରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା କେପି ନବଗିରେ ଓ ଆରତୀ କେଦାରଙ୍କୁ ଏହାର ଫାଇଦା ମିଳିଛି। ଟୁର୍ଣ୍ଣାମେଣ୍ଟ୍‌ରେ ନବଗିରେ ସର୍ବାଧିକ ରନ୍ କରିଥିବା ବେଳେ ଆରତୀ ସର୍ବାଧିକ ୱିକେଟ୍ ନେଇଥିଲେ।

ଘୋଷିତ ଦଳ
ସୁପର୍‌ନୋଭାସ୍‌: ହରମନ୍‌ପ୍ରୀତ୍ କୌର୍ (ଅଧିନାୟିକା), ତାନିୟା ଭାଟିଆ (ଉପଅଧିନାୟିକା), ଆଲାନା କିଙ୍ଗ୍‌, ଆୟୁଷି ସୋନୀ, ଚନ୍ଦୁ ଭି, ଡିଣ୍ଡ୍ରା ଡଟ୍ଟିନ୍‌, ହର୍ଲିନ୍ ଦେଓଲ୍‌, ମେଘନା ସିଂହ, ମୋନିକା ପଟେଲ୍‌, ମୁସ୍କାନ୍ ମଲିକ, ପୂଜା ବସ୍ତ୍ରାକାର, ପ୍ରିୟା ପୁନିଆ, ରାଶି କାନୋଜିଆ, ସୋଫି ଏକ୍ଲେଷ୍ଟୋନ୍‌, ସୁନ୍ ଲୁସ୍ ଓ ମାନସୀ ଯୋଶୀ।

ଟ୍ରେଲ୍‌ବ୍ଲେଜର୍ସ: ସ୍ମୃତି ମନ୍ଧାନା (ଅଧିନାୟିକା), ପୂନମ୍ ଯାଦବ (ଉପଅଧିନାୟିକା), ଅରୁନ୍ଧତୀ ରେଡ୍ଡୀ, ହେଲି ମାଥ୍ୟୁଜ୍‌, ଜେମିମା ରଡରିଗ୍ସ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ରାଜେଶ୍ୱରୀ ଗାଏକ୍ୱାଡ୍‌, ରେଣୁକା ସିଂହ, ଏସ. ମେଘନା, ସାଇକା ଇଶାକ୍‌, ସଲମା ଖାତୁନ୍‌, ଶର୍ମିନ୍ ଅଖ୍‌ତର, ସୋଫିଆ ଡଙ୍କଲି, ସୁଜାତା ମଲ୍ଲିକ ଓ ଏସ୍‌ବି ପୋଖରକାର।

ଭେଲୋସିଟି: ଦୀପ୍ତି ଶର୍ମା (ଅଧିନାୟିକା), ସ୍ନେହ ରାଣା (ଉପଅଧିନାୟିକା), ଶେଫାଳୀ ବର୍ମା, ଆୟାବୋଙ୍ଗା ଖାକା, କେଭି ନବଗିରେ, କେଟ୍ କ୍ରସ୍‌, କିର୍ତ୍ତୀ ଜେମ୍ସ, ଲୌରା ଉଲ୍‌ଭାର୍ଟ, ମାୟା ସୋନାୱାନେ, ନାଥାକାନ୍ ଚାଣ୍ଟମ୍‌, ରାଧା ଯାଦବ, ଆରତୀ କେଦାର, ଶିବାଲି ଶିନ୍ଦେ, ସିମରନ୍ ବାହାଦୁର, ୟାସ୍ତିକା ଭାଟିଆ ଓ ପ୍ରଣବୀ ଚନ୍ଦ୍ରା।