କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ଆଜି ଦାୟିତ୍ୱ ନେବେ ଯୁବ ଆଇଏଏସ୍ ଅଫିସର ଅମ୍ରିତ ଋତୁରାଜ

ରାୟଗଡ଼ା,ଏନ୍ଏନ୍ଏସ୍: ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ପଦବୀରୁ ବିଦାୟ ନେଲେ ଯୁବ ଆଇଏଏସ୍ ଅଫିସର ଅମ୍ରିତ ଋତୁରାଜ। ଏଥିସହିତ ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବେ। ତା ପୂର୍ବରୁ ସେ ନିତିଦିନକୁ ସ୍ୱତନ୍ତ୍ର ସାକ୍ଷାତକାରରେ ଏହା ଜଣାଇଛନ୍ତି ଯେ, ସେ ରାୟଗଡ଼ା ଜିଲ୍ଲାରେ ଦୀର୍ଘ ୩ ବର୍ଷ କାର୍ଯ୍ୟକାଳ ଭିତରେ ସମସ୍ତ ଅଧିକାରୀ, ଜନସାଧାରଣଙ୍କ ଠାରୁ ସ୍ନେହ ସହଯୋଗ ପାଇଛନ୍ତି। ଏନେଇ ସେ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଏଠାରୁ ପାଇଥିବା ଅନୁଭୂତି କେନ୍ଦ୍ରାପଡ଼ାରେ କାମରେ ଆସିବ ବୋଲି କହିଛନ୍ତି।

ତାଙ୍କ ରହଣି ଭିତରେ ହଜାରେରୁ ଊର୍ଦ୍ଧ୍ୱ ଗାଁକୁ ସେ ଗସ୍ତ କରିଥିବା ବେଳେ ଅନେକ ଗାଁରେ ରାତ୍ରି ଯାପନ କରିଛନ୍ତି। ସବୁଠାରୁ ବଡ଼ କଥା ଜିଲ୍ଲାର ନକ୍ସଲ ଅଧ୍ୟୁଷିତ ଗୁଡରି ଏବଂ ଚନ୍ଦ୍ରପୁର ବ୍ଲକରେ ସୁରକ୍ଷା ଦୃଷ୍ଟିରୁ ରାତ୍ରି ଯାପନ ମନାଥିବାବେଳେ ଅମ୍ରିତ ଋତୁରାଜ ଏହାକୁ ଭ୍ରୂକ୍ଷେପ ନକରି ଅନେକବାର ନିପଟ ଦୁର୍ଗମ ଅଞ୍ଚଳରେ ରାତ୍ରି ଯାପନ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ। ତାଙ୍କ କହିବା ଅନୁସାରେ ଯେଉଁ ପର୍ଯ୍ୟନ୍ତ ଅଧିକାରୀ ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚିପାରି ନାହାନ୍ତି, ଲୋକେ ସିଧାସଳଖ ନିଜର ସମସ୍ୟା ଅଧିକାରୀଙ୍କୁ ଜଣାଇବାର ସୁଯୋଗ ପାଇନାହାନ୍ତି ସେପର୍ଯ୍ୟନ୍ତ ସରକାରଙ୍କ ଯୋଜନା ସେମାନଙ୍କ ନିକଟରେ ଅପହଞ୍ଚ। ତେଣୁ ଗାଁକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ପାଇଁ ଚେଷ୍ଟା କରିବାକୁ କହିଛନ୍ତି।

ତେବେ ଭୌଗଳିକ ଏବଂ ସାମାଜିକ ଚଳନୀରେ ସମ୍ପୂର୍ଣ୍ଣ ଭିନ୍ନ କେନ୍ଦ୍ରାପଡ଼ା ପାଇଁ ମଧ୍ୟ ମତେ ସେତିକି ପରିଶ୍ରମ କରିବାକୁ ପଡିବ ବୋଲି ସେ କହିଛନ୍ତି। ଏଥିପାଇଁ ଲୋକଙ୍କ ସହାୟକ ସହଯୋଗକୁ ପାଥେୟ କରି ଆଗକୁ ବଢିବାର ପ୍ରତିଶ୍ରୁତି ଦେଇଛନ୍ତି। ଶେଷରେ ମୋ ଜୀବନ କାଳ ପର୍ଯ୍ୟନ୍ତ ଏହି ଜିଲ୍ଲା ସ୍ମରଣୀୟ ହୋଇ ରହିବ ବୋଲି ସେ ପ୍ରକାଶ କରିଛନ୍ତି।