ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଡି.ପୁରନ୍ଦେଶ୍ୱରୀ

କଟକ,ଏନ୍ଏନ୍ଏସ୍: ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଜି ମଧ୍ୟାହ୍ନରେ ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ମାହାଙ୍ଗା ଗସ୍ତ କରିଛନ୍ତି। ଏହି ଅବସରରେ ପୁରନ୍ଦେଶ୍ୱରୀଙ୍କ ସହିତ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ବରିଷ୍ଠ ନେତା କେବି ସଂହଦେଓ ପ୍ରମୁଖ ମାହାଙ୍ଗାର ନୃତାଙ୍ଗରେ ପହଞ୍ଚି କୁଳମଣିଙ୍କ ପରିବାରକୁ ଭେଟିଥିଲେ।

କଟକ ଜିଲ୍ଲା ମାହାଙ୍ଗାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ତଥା ସାଲେପୁର ବିଜେପି ପ୍ରଭାରୀ କୁଳମଣୀ ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟାକୁ ନେଇ ପୁରନ୍ଦେଶ୍ୱରୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପୁରନ୍ଦେଶ୍ୱରୀ କହିଛନ୍ତି କି ରାଜ୍ୟ ସରକାର ଦୁର୍ନୀତିରେ ବୁଡ଼ି ରହିଛନ୍ତି। ବର୍ଷକ ତଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତି କଥା ଉଠାଇବାରୁ ବିକାଶ ଜେନାଙ୍କୁ ହତ୍ୟା କରାଯାଇଥିଲା। ଏବେ ପୁଣି ଉକ୍ତ କଥାକୁ ନେଇ କୁଳମଣୀ ଓ ଦିବ୍ୟସିଂହଙ୍କୁ ହତ୍ୟା କରାଯାଇଥିବା କହିଛନ୍ତି। ତେବେ ଏହି ହତ୍ୟା ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ମାମଲା ରୁଜୁ ହୋଇଥିଲେ ସୁଦ୍ଧା କାହିଁକି ତାଙ୍କୁ ଗିରଫ କରାଯାଇନାହିଁ ସେ ନେଇ ସେ ପ୍ରଶ୍ନ କରିଛନ୍ତି।

ତେବେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସମସ୍ତେ ସମାନ, ତେଣୁ ଏହି ଘଟଣାରେ ସେ ପଦାକୁ ଆସି ପ୍ରକୃତ ପରିସ୍ଥିତି ଦେଖିବା ସହ କୁଳମଣୀ ଓ ଦିବ୍ୟସିଂହଙ୍କ ପରିବାରକୁ ନ୍ୟାୟ ଦେବାକୁ ପୁରନ୍ଦେଶ୍ୱରୀ ଅନୁରୋଧ କରିଛନ୍ତି।