ବିଦ୍ୟାଳୟ ସ୍ଥିତି ଅନୁଧ୍ୟାନ କଲେ ଶିକ୍ଷା ବିଭାଗର ଅତିରିକ୍ତ ସଚିବ

ରାୟଗଡ଼ା,ଏନ୍ଏନ୍ଏସ୍: ଦୀର୍ଘ ୯ ମାସରୁ ଅଧିକ ସମୟ ଧରି ବନ୍ଦ ପଡିଥିବା ବିଦ୍ୟାଳୟ ଗୁଡିକ ଆସନ୍ତାକାଲି ଅର୍ଥାତ ୮ ତାରିଖରେ ଖୋଲିବ। ପ୍ରଥମେ ଉଚ୍ଚ ବିଦ୍ୟାଳୟ ଗୁଡିକ ଖୋଲାଯାଇ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ଚାଲିବ। ବିଦ୍ୟାଳୟ ଖୋଲିବା ପୂର୍ବରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି ଶିକ୍ଷା ବିଭାଗର ଅତିରିକ୍ତ ସଚିବ ତଥା ନୋଡାଲ ଅଧିକାରୀ ରସିଦ ଖାନ।

ଆଜି ବିଭିନ୍ନ ଉଚ୍ଚ ବିଦ୍ୟାଳୟକୁ ଯାଇ ସ୍ଥିତି ପରଖିଥିଲେ। ସଫେଇ କାର୍ଯ୍ୟ ଅନୁଧ୍ୟାନ କରି ସଫାସୁତୁରା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗୋଟିଏ କକ୍ଷରେ ୨୫ରୁ ୩୦ ପିଲାଙ୍କୁ ବସି ପାଠ ପଢାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେହିଭଳି ସାମାଜିକ ଦୂରତା ଓ ସାନିଟାଇଜ ଉପରେ ସର୍ବାଧିକ ଧ୍ୟାନ ଦେବା ନିମନ୍ତେ କହିଥିଲେ। ସରକାରଙ୍କ ନିଷ୍ପତ୍ତିକ୍ରମେ ୧୦୦ ଦିନରେ ପାଠପଢା ଏକ ପ୍ରମୁଖ ଦାୟିତ୍ୱ ବୋଲି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସୂଚନା ପ୍ରଦାନ କରିଛନ୍ତି।

ଯେଉଁ ଭାବରେ ମଙ୍ଗଲ(ଏସସି-ଏସଟି) ବିଭାଗର ସ୍କୁଲ ଗୁଡିକ ପ୍ରସ୍ତୁତ ହୋଇଛି ସେହି ଅନୁପାତରେ ଶିକ୍ଷା ବିଭାଗର ସ୍କୁଲ ଗୁଡିକ ଟିକିଏ ପଛରେ ରହିଛି। ତାକୁ ଦୃଷ୍ଟିରେ ରଖି ଯୁଦ୍ଧକାଳୀନ ଭିତ୍ତିରେ ସଜାଡିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଅତିରିକ୍ତ ସଚିବ ରସିଦ ଖାନ। ଏଣେ ଅନେକ ବ୍ଲକର ବିଦ୍ୟାଳୟ ବୁଲିବା ପରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଶିକ୍ଷା ବିଭାଗର ଅଧିକାରୀଙ୍କ ସହିତ ଏନେଇ ଆଲୋଚନା କରିଛନ୍ତି ନୋଡାଲ ଅଧିକାରୀ ଶ୍ରୀ ଖାନ।