ବଲାଙ୍ଗିର,ଏନ୍ଏନ୍ଏସ୍: ଭାରତ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ତରଫରୁ ଉତ୍କଳ ଦିବସ ଅବସରରେ ପୁଇଁନ୍ତଲା ବ୍ଲକ୍ ଅନ୍ତର୍ଗତ ନାରାୟଣ କଲୋନୀ କୁଷ୍ଠାଶ୍ରମ ଅନ୍ତେବାସୀଙ୍କୁ ହାଇଜେନିକ୍ କିଟ୍ ବଣ୍ଟନ କରାଯାଇଛି। ଯୁବ ରେଡକ୍ରସ ଜିଲ୍ଲା ସଂଯୋଜକ ଡ. ଦୈତ୍ୟାରୀ ପୁଜାରୀଙ୍କ ସଂଯୋଜନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଜରୁରିକାଳୀନ ଅଧିକାରୀ ତଥା ଜିଲ୍ଲା ରେଡକ୍ରସ ସଂପାଦିକା ରୀନା କୁମାରୀ ନାଏକ ଯୋଗଦେଇଥିଲେ।
ସମ୍ମାନିତ ଅତିଥି ଭାବରେ ଯୁବ ରେଡକ୍ରସ ଜିଲ୍ଲା ସଂପାଦକ ମଦନ ମୋହନ ପଧାନ, ଲୋଇସିଂହା ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପିକା ସୁନନ୍ଦାରାଣୀ ମହାପାତ୍ର, ଅଙ୍କରିଆପଦର ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡକ୍ରସ କାଉନସିଲର ରଶ୍ମିରାଣୀ ଦାଶ ଯୋଗ ଦେଇଥିଲେ। ଅନ୍ତେବାସୀଙ୍କୁ ଜିଲ୍ଲା ଜରୁରୀକାଳିନ ଅଧିକାରୀ ଶ୍ରୀମତୀ ନାଏକ ବ୍ୟକ୍ତିଗତ ସ୍ୱଚ୍ଛତା ଉପରେ ଗୁରୁତ୍ୱ ସହ କରୋନା ଭୂତାଣୁକୁ ପ୍ରତିହିତ କରିବା ପାଇଁ ମାକ୍ସ ଓ ସେନିଟାଇଜର ବ୍ୟବହାର କରିବା ପାଇଁ ବୁଝାଇଥିଲେ।
ଏହି ଅବସରରେ ଅନ୍ତେବାସୀମାନଙ୍କୁ ମାକ୍ସ ଓ ସେନିଟାଇଜର କିଟ୍ ବଣ୍ଟନ କରାଯାଇଥିଲା। ବନ୍ଦେ ଉତ୍କଳ ଜନନୀ ସଂଗୀତ ଅନ୍ତବାସୀମାନଙ୍କ ସହିତ ଗାନ କରାଯାଇ ଉତ୍କଳ ଦିବସ ପାଳନର ତାତ୍ପର୍ଯ୍ୟ ବିଷୟରେ ରେଡକ୍ରସ କର୍ମୀମାନେ ବୁଝାଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟର କର୍ମଚାରୀ ଶ୍ରୀନିବାସ ତ୍ରିପାଠୀ, ଇଶାନେଶ୍ୱର ମିଶ୍ର ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ରେଡକ୍ରସ୍ କର୍ମୀ ରାମ ନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।