ଦେବଗଡ଼,ଏନ୍ଏନ୍ଏସ୍: ଉତ୍କଳ ଦିବସ ପାଳନ ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ଓ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ସହଯୋଗ ରେ ଆଜି ସନ୍ଧ୍ୟାରେ ସ୍ଥାନୀୟ ରାଜା ବାସୁଦେବ ହାଇସ୍କୁଲ ଖେଳ ପଡିଆ ଠାରେ ସମୂହ ଉତ୍କଳ ଜନନୀ ସଂଗୀତ ଗାନ ଅନୁଷ୍ଠିତ ହୋଇଯାଇଛି।
ଅତିରିକ୍ତ ଜିଲ୍ଲାପାଳ ରେବତୀ ବିଲୁଙ୍ଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ ପ୍ରଧନ, ମୁଖ୍ୟବକ୍ତା ଭାବେ ଆଦର୍ଶ ମହାବିଦ୍ୟାଳୟ ଅଧ୍ୟକ୍ଷ ବିଜୟ କୁମାର ମହାରଣା, ସଂଯୋଜକ ଭାବେ ଆଇନଜୀବୀ ଦିଲ୍ଲୀପ କୁମାର ଗୁରୁ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୁତାର ପ୍ରମୁଖ ମଞ୍ଚାସୀନ ହୋଇ ବରପୁତ୍ରଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସମ୍ମାନ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ସ୍ଥାନୀୟ ସୁର ସଙ୍ଗମ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରାଯାଇଥିଲା।
ପ୍ରାରମ୍ଭିକ ଉତ୍କଳ ଜନନୀ ଗାନ ପରେ ମଞ୍ଚାସିନ ଅତିଥି ବୃନ୍ଦ ସ୍ୱତନ୍ତ୍ର ଓଡିଶା ଗଠନରେ ଓଡ଼ିଆ ବରପୁତ୍ରଙ୍କ ଅବଦାନ ଏବଂ ପ୍ରାକୃତିକ ସମ୍ପଦ ଭରା ଓଡିଶାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କରେ ନିଜ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ। ଜିଲ୍ଲାର ଅଗ୍ରଣୀ କଳା ଓ ସଂସ୍କୃତିକ ଅନୁଷ୍ଠାନ ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲ ସହଯୋଗରେ ଜିଲ୍ଲା ସ୍ତରୀୟ ସାଧାରଣ ସଭା ପରେ ସମୂହ ଉତ୍କଳ ଜନନୀ ଗାନ କରାଯଇଥିଲା।