ହାଇଦର ଫେରାର ଘଟଣା: ହୋଟେଲ ଛାଡ଼ିଲେ ୬ ପୁଲିସ କର୍ମଚାରୀ

କଟକ,ଏନ୍ଏନ୍ଏସ୍: ହାଇଦରକୁ କଟକ ବଡ଼ ଡାକ୍ତରଖାନାରେ ୬ ଜଣ ପୁଲିସ କର୍ମଚାରୀ ୨୪ ଘଣ୍ଟା ଜଗିବା ବଦଳରେ ଲଜରେ ମଉଜ କରୁଥିଲେ। ୬ ଜଣ ପୁଲିସ କର୍ମଚାରୀ ସେହି ଲଜ୍ ଛାଡ଼ିବା ପରେ ସୂଚନା ଦେଲେ ମଙ୍ଗଳାବାଗ ସ୍ଥିତ ଅହଲ୍ୟା ଲଜର କର୍ମଚାରୀ।

ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଗତକାଲି ବିଳମ୍ବିତ ରାତିରେ ଲଜ ଛାଡ଼ିଛନ୍ତି। ମଙ୍ଗଳାବାଗ କାଠଗୋଲା ସାହିର ଅହଲ୍ୟା ଲଜ୍‌ରେ ଗଲା ମାର୍ଚ୍ଚ ୨୩ ତାରିଖରୁ ଦୁଇଟି ରୁମ୍ କନଷ୍ଟେବଳ ମହମ୍ମଦ ମୌସିମ ଓ ଉମାକାନ୍ତ ବେହେରାଙ୍କ ନାଁରେ ବୁକ୍ ହୋଇଥିଲା। ଲଜ‌ରେ ରୁମ୍ ବୁକ୍ କରିବାକୁ ଏହି ପୁଲିସ କର୍ମଚାରୀ ନିଜ ପୁଲିସ ବିଭାଗର ପରିଚୟପତ୍ରର ଜେରକ୍ସ କପି ଦାଖଲ କରିଛନ୍ତି। ଲଜ୍ ଭଡ଼ା ବାବଦକୁ ଏହି ପୁଲିସ କର୍ମଚାରୀ ପ୍ରାୟ ୧୭ ହଜାର ଟଙ୍କା ଜମା କରିଛନ୍ତି। ଏହି ଟଙ୍କା ଗ୍ୟାଙ୍ଗଷ୍ଟର ହାଇଦର‌ ବହନ କରିଥିବା କୁହାଯାଉଛି।