ସ୍ତ୍ରୀକୁ ହତ୍ୟା କରି ଜେଲ ଗଲା ସ୍ୱାମୀ

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ସ୍ଥିତ ସର୍ଗିଗୁଡ଼ାଠାରେ ୨୨ ଡିସେମ୍ବର ୨୦୨୦ରେ ଜଣେ ମହିଳାଙ୍କ ମୃତଦେହ ପୁଲିସ କୂଅରୁ ଉଦ୍ଧାର କରିଥିଲା। ଟିଟିଲାଗଡ଼ ସହର ମଧ୍ୟରେ ଥିବା ଆକାଶ ଫେନ୍‌ସିର ମାଲିକ ଆନନ୍ଦ ଅଗ୍ରୱାଲଙ୍କ ସ୍ତ୍ରୀ ସୁମିତ୍ରା ଅଗ୍ରୱାଲଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ଟିଟିଲାଗଡ଼ ପୁଲିସ ଷ୍ଟେସନରେ ଅଭିଯୋଗ ହୋଇଥିଲା । ଖବର ପାଇ ଟିଟିଲାଗଡ଼ ପୁଲିସ ଡିଏସପି ସୁରେନ୍ଦ୍ର ନାଥ ଶତପଥୀ ଓ ଏସଆଇ ସାବିତ୍ରୀ ଖାକା ଉକ୍ତ ସ୍ଥାନରେ ପହଞ୍ଚି ସ୍ଥିତି ଯାଞ୍ଚ କରି ଘରକୁ ସିଲ୍ କରି ଦେଇଥିଲେ । ପରଦିନ ବଲାଙ୍ଗିରର ଏକ ସାଇଣ୍ଟିଫିକ୍‌ ଟିମ୍ ସହ ଟିଟିଲାଗଡ଼ ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି କୂଅରୁ ଶବକୁ ଉଦ୍ଧାର କରିଥିଲେ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତ ସ୍ୱାମୀ ଆନନ୍ଦ ଅଗ୍ରୱାଲଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲା । ପରେ ଦଫା ୪୯୮(ଏ) ଓ ୩୦୬ ଆଧାରରେ କୋର୍ଟରୁ ଜେଲକୁ ନିଆଯାଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।