କୃଷି ଆଇନକୁ ଅସ୍ଥାୟୀ ରୂପେ ରୋକିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି କୃଷି ଆନ୍ଦୋଳନକୁ ନେଇ ବଡ଼ ଫଇସଲା ଶୁଣାଇଛନ୍ତି। କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନ ଉପରେ କୋର୍ଟ ଅସ୍ଥାୟୀ ରୂପେ ରୋକ ଲଗାଇଛି। ଏହି ମାମଲାର ସମାଧାନ ପାଇଁ ଏକ କମିଟି ଗଠନ କରିଛନ୍ତି ଯେଉଁଥିରେ ମାତ୍ର ୪ଜଣ ସାମିଲ ହେବେ। କମିଟିରେ ଭାରତୀୟ କୃଷକ ୟୁନିୟନର ଜିତେନ୍ଦ୍ର ସିଂହ ମାନ, ଡା.ପ୍ରମୋଦ କୁମାର ଯୋଶୀ, କୃଷି ବିଶେଷଜ୍ଞ ଅଶୋକ ଗୁଲାଟୀ ଓ ଶେତକାରୀ ସଂଗଠନର ଅଧ୍ୟକ୍ଷ ଅନିଲ ଧନବତ ସାମିଲ ହେବେ ବୋଲି ଜଣାପଡ଼ିଛି। ଏଥିସହିତ ଜାନୁଆରୀ ୨୬ରେ କୃଷକଙ୍କ ଟ୍ରାକ୍ଟର ରାଲି ଉପରେ ରୋକ ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କ ଦାବିକୁ ନୋଟିସ ଜାରି କରି କୃଷକ ସଂଗଠନକୁ କୋର୍ଟ ଉତ୍ତର ମାଗିିଛନ୍ତି। ଏହି ମାମଲାର ଶୁଣାଣୀ ସୋମବାର ହେବ।

ମୁଖ୍ୟ ବିଚାରପତି ଏସ ଏ ବୋବଡେ କହିଛନ୍ତି ଯେ, ‘ଆମେ ଚାହୁଁଛୁ କି କମିଟି ପାଖକୁ କୃଷକ ଯାଆନ୍ତୁ, ଅନିଶ୍ଚିତ କାଳ ପାଇଁ ପ୍ରଦର୍ଶନ କଲେ କୌଣସି ସମସ୍ୟାର ସମାଧାନ ବାହାରିବ ନାହିଁ। ଆମକୁ କମିଟି ଗଠନ କରିବା ପାଇଁ କେହି ବି ରୋକିପାରିବେ ନାହିଁ। ଯେଉଁ କମିଟି ଗଠନ ହେବ ସେ ଆମକୁ ରିପୋର୍ଟ ଦେବ। କୃଷକଙ୍କ ହିତକୁ ରକ୍ଷା କରିବା ଓ ସେମାନଙ୍କୁ ଜମି ବିକିବାକୁ ଦେବା ନାହିଁ।’

ସୂଚନାଯୋଗ୍ୟ, ଏହାପୂର୍ବରୁ ମୁଖ୍ୟ ବିଚାରପତି ଏସ ଏ ବୋବଡେ, ଜଷ୍ଟିସ ଏ.ଏସ୍ ବୋପନ୍ନା, ଜଷ୍ଟିସ ବି. ରାମାସୁବ୍ରମଣ୍ୟମ୍ ଏହି ମାମଲାର ଶୁଣାଣି ସମୟରେ କୃଷି ଆଇନ ଓ କୃଷକ ଆନ୍ଦୋଳନକୁ ନେଇ ଭିନ୍ନ ଭିନ୍ନ ଆଦେଶ ପାରିତ କରିବେ ବୋଲି ସଙ୍କେତ ଦେଇଥିଲେ।