ଦେବଗଡ଼ରେ ୪୦ରୁ ଊର୍ଦ୍ଧ ବୟସର ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ଫିଟନେସ ଯାଞ୍ଚ ଆରମ୍ଭ

ଦେବଗଡ଼,ଏନ୍ଏନ୍ଏସ୍ : ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ଆଦେଶ ଅନୁଯାୟୀ ଦେବଗଡ଼ ଜିଲ୍ଲାରେ କାର୍ଯ୍ୟରତ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଫିଟନେସ ଯାଞ୍ଚ ପ୍ରକ୍ରିୟା ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହୋଇଛି। ଆଜି ପୂର୍ବାହ୍ନରେ ଦେବଗଡ଼ ଏସପି ମନୋଜ କୁମାର ମହାନ୍ତଙ୍କ ସମେତ ଜିଲ୍ଲାରେ କାର୍ଯ୍ୟରତ ୪୦ରୁ ଊର୍ଦ୍ଧ ବୟସର ଅଧିକାରୀ ଓ କର୍ମଚାରୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଂଚି ନିଜ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଡାକ୍ତରଙ୍କ ଦ୍ୱାରା ଫିଟନେସ ଯାଞ୍ଚ କରାଇଥିଲେ।

ଏହି ପରିପ୍ରେକ୍ଷୀରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବର୍ହି ବିଭାଗରେ ଏସପି ଶ୍ରୀ ମହାନ୍ତଙ୍କ ସମେତ ଶତାଧିକ କର୍ମଚାରୀ ନିଜ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ଦେଖିବାକୁ ମିଳିଥିଲା। ପୁଲିସ ବିଭାଗରେ ଶତ ପ୍ରତିଶତ ଫିଟନେସ ସହ ବିଭାଗକୁ ଆକ୍ଟିଭ କରିବା ଲକ୍ଷ୍ୟରେ ଗୃହ ବିଭାଗ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।