ସ୍ତ୍ରୀର ଶବ ଧରି ୩୩ କିମି ଚାଲିଲେ ସ୍ୱାମୀ, ମାନବିକତା ଦେଖାଇଲା ଆନ୍ଧ୍ର ପୁଲିସ

ଜୟପୁର,ଏନ୍‌ଏନ୍‌ଏସ୍‌: ଆନ୍ଧ୍ରପ୍ରଦେଶରେ ଚିକିତ୍ସାଧିନୀ ଅବସ୍ଥାରେ ମୃତ୍ୟୁବରଣ କରିଥିବା ସ୍ତ୍ରୀର ଶବକୁ ସ୍ୱାମୀ କାନ୍ଧରେ ୩୩ କିମି ବୋହିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଏହି ଦୃଶ୍ୟ ଉପସ୍ଥିତ ଆନ୍ଧ୍ର ପୁଲିସକୁ ଶକ୍ତ ଆଘାତ ଦେଇଥିଲା । ଘଟଣା ସମ୍ପର୍କରେ ଅବଗତ ହେବା ପରେ ଅସହାୟ ସ୍ୱାମୀକୁ ସ୍ତ୍ରୀର ଶବକୁ ଗ୍ରାମକୁ ନେବା ପାଇଁ ପୁଲିସ ସହଯୋଗର ହାତ ବଢ଼ାଇ ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିଲା ।

ମିଳିଥିବା ରିପୋର୍ଟ ମୁତାବକ, କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଅଞ୍ଚଳର ଦମ୍ପତି ଆନ୍ଧ୍ରର ବିଶାଖାପାଟଣାରେ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ସେଠାରେ ହଠାତ ସ୍ତ୍ରୀର ଅସୁସ୍ଥ ହୋଇ ପଡ଼ିବାରୁ ସ୍ୱାମୀ ଜଣକ ବିଶାଖାପାଟଣାର ସାଗରପୋଲସା ମେଡ଼ିକାଲରେ ତାଙ୍କୁ ଭର୍ତ୍ତି କରିଥିଲେ । ଚିକିତ୍ସିତ ହେଉଥିବା ସମୟରେ ସ୍ତ୍ରୀର ମୃତ୍ୟୁ ଘଟିଥିଲା । କିନ୍ତୁ ସ୍ତ୍ରୀର ଶବ ନିଜ ଗ୍ରାମରେ ପହଞ୍ଚାବା ପାଇଁ ପାଖରେ ଟଙ୍କା ନଥିବାରୁ ସ୍ୱାମୀ ଜଣକ ବିଶାଖାପାଟଣାର ଉକ୍ତ ଅଞ୍ଚଳରୁ ୩୩ କିମି ଚାଲି ଚାଲି ବିଜୟନଗର ପହଞ୍ଚିଥିଲା । ସେଠାରେ ଉପସ୍ଥିତ ଲୋକଙ୍କଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଘଟଣା ଜାଣିବା ପରେ ବିଜୟନଗର ଗ୍ରାମାଞ୍ଚଳ ପୁଲିସ ସବଇନ୍ସପେକ୍ଟର କିରଣ କୁମାର ଏକ ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିଲେ । ଅନ୍ୟପଟେ ଏନେଇ ସୁଙ୍କି ଏବଂ ପଟ୍ଟାଙ୍ଗି ପୁଲିସକୁ ଯୋଗାଯୋଗ କରିବାରୁ ଏପରି ଘଟଣା ସମ୍ପର୍କରେ କୌଣସି ଖବର ଆମ ପାଖରେ ନାହିଁ ବୋଲି ପ୍ରକାଶ କରିଥିଲେ ।