ପରପୁରୁଷ ସହ ଫୋନ୍‌ରେ କଥାହେବା ହେଲା କାଳ; ସ୍ତ୍ରୀକୁ ମାରି ଆତ୍ମସମର୍ପଣ କଲା ସ୍ୱାମୀ

ଓଡ଼ଗାଁ,ଏନ୍‌ଏନ୍‌ଏସ୍‌: ପରକୀୟା ପ୍ରୀତି କେତେ ଭୟଙ୍କର ହୋଇପାରେ ତାହାର ଉଦାହରଣ ଦେଖିବାକୁ ମିଳିଛି ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ବେରୁଆଁବାରୀ ଗ୍ରାମରେ। ପରପୁରୁଷ ସହ କଥା ହେଉଥିବା ସନ୍ଦେହକରି ସ୍ତ୍ରୀକୁ ହତ୍ୟାକରିବା ସହିତ ଓଡ଼ଗାଁ ଥାନାରେ ଆତ୍ମସମର୍ପଣ କରିଛି ସ୍ୱାମୀ। ଓଡ଼ଗାଁ ପୁଲିସ ଘଟଣା ସ୍ଥଳରେ ପହଁଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି।

ଘଟଣାରୁ ପ୍ରକାଶ ବେରୁଆଁବାରି ଗ୍ରାମର ଲଳିତ କୁମାର ସାହୁ(୩୨) ଆଜକୁ ୬ ବର୍ଷ ତଳେ ଗଞ୍ଜାମ ଜିଲ୍ଲା କୋଦଳା ଥାନା କନିଅରବାଡି ଗ୍ରାମର ଯୋଗେନ୍ଦ୍ର ସାହୁଙ୍କ ଝିଅ ମାମିନା ସାହୁ(୨୫)କୁ ବୈଦିକ ରିତୀରେ ବିବାହ କରିଥିଲେ। ଲଳିତଙ୍କର ୫ ବର୍ଷର ଏକ ପୁତ୍ର ସନ୍ତାନ ରହିଛି। ଲଳିତ ଡ୍ରାଇଭର ଭାବେ ବାହାରେ ରହି ଗାଡ଼ି ଚଲାଏ। ଗତ କିଛିଦିନ ହେବ ସ୍ତ୍ରୀ ମାମିନା ସାହୁଙ୍କ ଉପରେ ତାଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା। ମାମିନା ଫୋନ୍‌ ଯୋଗେ ଅନ୍ୟ ପୁରୁଷ ସହିତ କଥା ହେଉଥିବା ସାମୀ ସନ୍ଦେହ କରିଥିଲା। ଏହାକୁ ନେଇ ଦୁଇଜଣଙ୍କ ମଧ୍ୟରେ କଥା କଟାକଟି ମଧ୍ୟ ହୋଇଥିଲା। କିଛିଦିନ ହେବ ମାମିନା ତା ବାପଘରେ ରହିଥିଲା।

ଗତ ୧୫ଦିନ ତଳେ ଆପୋଷ ସମାଧାନ ପରେ ମାମିନା ସ୍ୱାମୀ ଘରକୁ ଆସିଥିଲା। ଆଜି ମାମିନା ଫୋନ୍ ଯୋଗେ ପର ପୁରୁଷ ସହ କଥାହେଉଥିବା ଜାଣିପାରି ସ୍ୱାମୀ ଲଳିତ ଉତ୍‌କ୍ଷିପ୍ତ ହୋଇ କବାଟ ଦିଆ ଧଡ଼ାରେ ମୁଣ୍ଡକୁ ଏକ ଶକ୍ତପାହାର ଦେଇଥିଲା। ମାମିନା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡିଯାଇଥିଲା। ଚାରିଆଡେ ରକ୍ତସ୍ରାବ ହୋଇଥିବା ବେଳେ ଘଟଣା ସ୍ଥଳରେ ହିଁ ମାମିନାର ମୃତ୍ୟୁ ହୋଇଥିଲା। ଓଡ଼ଗାଁ ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିବାବେଳେ ନୂଆଗାଁ ତହସିଲଦାର ପ୍ରଳୟାନନ୍ଦ ଶତପଥୀ ଏବଂ ସାଇଣ୍ଟିଫିକ ଟିମ୍ ପହଁଚି ତଦନ୍ତ କରୁଥିବା ଜଣାପଡିଛି।

ଅଭିଯୁକ୍ତ ଲଳିତ ସ୍ତ୍ରୀ ମାମିନାକୁ ମାରି ଦେଇଥିବା ସ୍ୱୀକାର କରିଥିବାବେଳେ ମାମିନାର ବାପା ଯୋଗେନ୍ଦ୍ର ସାହୁ ଏବଂ ପରିବାର ଲୋକେ ପହଞ୍ଚି ମୋଝିଅକୁ ତା ସ୍ୱାମୀ ମାରିଦେଇଥିବା ଅଭିଯୋଗ କରିଛନ୍ତି।ଓଡ଼ଗାଁ ଆଦର୍ଶ ଥାନା ପୁଲିସ ୧୯/୨୦୨୨ରେ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ୫ବର୍ଷର ଶିଶୁପୁତ୍ର ଲିପୁନ ନିଜ ଅଜା ଆଈ ପାଖରେ ରହିବ ବୋଲି ଜଣାପଡ଼ିଛି।