ଭୁବନେଶ୍ୱର,ଏନ୍ଏନ୍ଏସ୍: ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ଅନ୍ଲାଇନ ଓ ଅଫ୍ଲାଇନ କ୍ଲାସ୍ର ଉପସ୍ଥାନ ଦେବେ ଉଚ୍ଚ ମାଧ୍ୟମିକ ସ୍କୁଲ। ପିଲାଙ୍କ ଦୈନିକ ଉପସ୍ଥାନ ତଥ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଜଣାଇବା ନେଇ ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି। ଦୈନିକ ପିଲାଙ୍କ ଉପସ୍ଥାନ ତଥ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଜଣାଇବେ। ଏନେଇ ନିର୍ଦ୍ଦେଶାଳୟ ପକ୍ଷରୁ ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି। ତେବେ ନିୟମିତ ଉପସ୍ଥାନ ତଥ୍ୟ ନଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି।
ଅପରପକ୍ଷେ କରୋନା ସଂକ୍ରମଣ ମାମଲା ହ୍ରାସକୁ ଦୃଷ୍ଟିରେ ରଖି ଫେବୃଆରୀ ମାସ ପାଇଁ ରାଜ୍ୟ ସରକାର କୋଭିଡ୍ ନିୟମକୁ କୋହଳ କରିବା ପରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜରେ ଶତପ୍ରତିଶତ କର୍ମଚାରୀ ଓ ଅଧ୍ୟାପକଙ୍କ ଉପସ୍ଥାନ ପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଜାରି କରିଛି। ତେବେ ଏବେ କଲେଜ ଓ ବିଶ୍ୱବିଦ୍ୟାଳୟରେ କେବଳ ଅନ୍ଲାଇନରେ ପାଠପଢ଼ା କରିବାକୁ କହିଛନ୍ତି।
ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଆଜି ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି, ସବୁ ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖି ଫେବୃଆରୀ ୧ରୁ କୋଭିଡ୍ ଗାଇଡ୍ଲାଇନକୁ କଡ଼ାକଡ଼ି ପାଳନ କରି ଶତପ୍ରତିଶତ କର୍ମଚାରୀ ଓ ଅଧ୍ୟାପକଙ୍କୁ ନେଇ କଲେଜ ଓ ବିଶ୍ୱବିଦ୍ୟାଳୟକୁ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଧ୍ୟାପକମାନେ ନିଜ ନିଜ ଶିକ୍ଷାନୁଷ୍ଠାନରୁ ଅନ୍ଲାଇନରେ ନିଶ୍ଚିତ କ୍ଲାସ୍ କରାଇବେ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ଜାନୁଆରୀ ମାସରେ ସମସ୍ତ ଶିକ୍ଷାନୁଷ୍ଠାନରେ ଅଫ୍ଲାଇନ ପାଠପଢ଼ା ବନ୍ଦ କରିବା ସହ କଲେଜ ହଷ୍ଟେଲ ମଧ୍ୟ ବନ୍ଦ କରିଦେଇଥିଲେ।