ଟିଟିଲାଗଡ଼,ଏନ୍ଏନ୍ଏସ୍: ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ଆଜି ଟିଟିଲାଗଡ଼ରେ ଅନୁଷ୍ଠିତ ହୋଇଯାଇଛି । ଏନେଇ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଇଁନ୍ତଲା, ଗୁଡ଼ଭେଲା ଓ ଟିଟିଲାଗଡ଼ ବ୍ଲକର ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ କର୍ମୀଙ୍କ ସମାଗମ ଦେଖିବାକୁ ମିଳିଥିଲା । ମନ୍ତ୍ରୀ ଟୁକୁନି ସାହୁଙ୍କ ନେତୃତ୍ୱରେ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏଥିରେ ଆଦିବାସୀ ନେତା ତଥା ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ସମେତ ବହୁ ସଂଖ୍ୟାରେ ଦଳର ନେତାକର୍ମୀ, ଦୁଲଦୁଲି ଓ ଘୁମୁରା ବାଦ୍ୟ ଦଳ ସାମିଲ ହୋଇଥିଲେ । ସ୍ଥାନୀୟ ବୀର ହନୁମାନ ବ୍ୟାୟାମ ଶାଳା ପରିସରରେ ଦିବଙ୍ଗତ ଅଭିମନ୍ୟୁ ସାହୁଙ୍କ ପ୍ରତିମୂର୍ତ୍ତି ଓ ବିଜୁ ପଟ୍ଟନାୟକ ଛକରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଦଳୀୟ ନେତା ପୁଷ୍ପମାଳ୍ୟ ଅର୍ପଣ ସହ ସଭାସ୍ଥଳ ଏସସିଡି କେନ୍ଦ୍ରରେ ପହଞ୍ଚିଥିଲେ । ଜିଲ୍ଲା ପରିଷଦ ସଭ୍ୟ ଗିତା ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀଙ୍କ ଉତଥାନ ପାଇଁ ଅନେକ କାର୍ଯ୍ୟ କରିଥିବା ନିରଞ୍ଜନ ବିଶି କହିଥିଲେ । ହେଲେ କେନ୍ଦ୍ର ସରକାର ଓଡ଼ିଶା ପ୍ରତି ଅବହେଳା ଜାରି ରଖିଛନ୍ତି ଏବଂ ରାଜ୍ୟରେ ଆହୁରି ୨୫ ବର୍ଷ ବିଜେଡି ସରକାର ରହିବ ବୋଲି ଶ୍ରୀ ବିଶି କହିଥିଲେ । ବିକାଶ କହିଲେ ନବୀନଙ୍କୁ ହିଁ ବୁଝାଇଥାଏ । ତାଙ୍କର ସ୍ୱଚ୍ଛଳ ଭାବମୂର୍ତ୍ତି ନେଇ ରାଜ୍ୟର ସାଢ଼େ ୪ କୋଟି ଲୋକ ତାଙ୍କ ସହ ରହିଥିବା ବଲାଙ୍ଗିର ଜିଲ୍ଲା ପ୍ରଭାରୀ ସୁଶାନ୍ତ ସିଂ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟିଟିଲାଗଡ଼ ବ୍ଲକ ସରପଞ୍ଚ ସଂଘ ସଭାପତି ବିରବର ସାହୁ, ରାଜ୍ୟ ବିଜେଡି ସମ୍ପାଦିକା ରଞ୍ଜୁ ରାଏମନ, ପୌର ଉପାଧ୍ୟକ୍ଷା ପୁଷ୍ପାମଞ୍ଜରି ଜାଲ, ମୁରିବାହାଲ ବ୍ଲକ ପୂର୍ବତନ ଅଧ୍ୟକ୍ଷ ହଂସରାଜ ଜୈନ, ଜିଲ୍ଲା ପରିଷଦ ସଭ୍ୟ ରାମନିବାସ ଅଗ୍ରୱାଲ, ଜିଲ୍ଲା ପରିଷଦ ସଭ୍ୟ ସଂଘର ସଭାପତି ସଞ୍ଜୟ ବେହେରା, ଓ ଟିଟିଲାଗଡ଼ ବ୍ଲକ ଉପାଧ୍ୟକ୍ଷ ଜଗତରାମ ରଣା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ତୁଷୁରା ଏନଏସି ଅଧ୍ୟକ୍ଷ ଅଜୟ ଜୟସ୍ୱାଲଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ବିଭିନ୍ନ ରାଜନୈତିକ ଦଳର କର୍ମୀ ବିଜେଡିରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରମାକାନ୍ତି ପୁଟେଲ, ଦିଲ୍ଲୀପ ବାଗ, ଦୟାରାମ ଅଗ୍ରୱାଲ, ସନ୍ତୋଷ ପୁଟା, ରାଜକିଶୋର ଡାଙ୍ଗ, ଲାଲା ବର୍ମା, ବୁଲୁ ଆଚାର୍ଯ୍ୟ ଓ ସଚ୍ଚିକାନ୍ତ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଟିଟିଲାଗଡ଼ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାୟକ ଧନ୍ୟବାଦ ଦେଇଥିଲେ ।