ପାଟଣା,ଏନ୍ଏନ୍ଏସ୍: ସାମୁଦ୍ରିକ ଝଡ଼ ୟାସ୍ ପ୍ରଭାବରେ ବୁଧବାର ପାଟଣା ବ୍ଲକ୍ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବର୍ଷା ସାଙ୍ଗକୁ ଜୋରରେ ପବନ ବହି ଅନେକ ଗଛ ଉପୁଡ଼ି ପଡ଼ିଛି। ସୂଚନା ଅନୁସାରେ ତୁରୁମୁଙ୍ଗା ଚମ୍ପୁଆ କେଟି ରୋଡର ବୁଢ଼ୀକାପୁଡି ନିକଟରେ ଏକ ୟୁକାଲିପଟାସ ଗଛ ପଡି ରାସ୍ତା ବନ୍ଦ ହୋଇଯାଇଥିଲା। ପରେ ସ୍ଥାନୀୟ କିଛି ଯୁବକ ଗଛକୁ କାଟି ରାସ୍ତା ଉପରୁ ହଟାଇବାରୁ ରାସ୍ତା ଅବରୋଧ ହଟିବା ସହ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା।
କେନ୍ଦୁଝର ପାଟଣା ରାସ୍ତାର ଚାଖୁଣ୍ଡାପାଳ ଛକରେ ଏକ ବିଶାଳ ଗଛ ପଡି ଯିବାରୁ ରାସ୍ତା ଅବରୋଧ ହୋଇଥିଲା। ପାଟଣା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଉପରେ ପଡିଥିବା ଗଛକୁ କାଟି ରାସ୍ତା ଉପରୁ ହଟାଇବା ପରେ ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା।
ସେହିପରି ପାଟଣା ବ୍ଲକ ଗୋଧିରାମ ପଡା ଗ୍ରାମରେ ହିନ୍ଦୁ ମାଝୀଙ୍କ ଖପର ଘର ଉପରେ ଏକ ବିରାଟ ଗଛ ପଡି ଯିବାରୁ ଘରଟି ଭାଙ୍ଗି ଯାଇଥିବା ବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।