ବାବା ରାମଦେବଙ୍କ ବିରୋଧରେ ପ୍ରଧାନମନ୍ତ୍ରୀଙ୍କୁ ଆଇଏମଏର ଚିଠି, ଦେଶଦ୍ରେହ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଦାବି

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ମେଡ଼ିକାଲ ସଂଘ ତଥା ଆଇଏମଏ ପକ୍ଷରୁ ଲଗାତାର ଯୋଗଗୁରୁ ରାମଦେବଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଆସୁଛି। ଉତ୍ତରାଖଣ୍ଡ ସରକାରଙ୍କ ଚିଠି ପରେ ଆଇଏମଏ ମଧ୍ୟ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ବାବା ରାମଦେବଙ୍କ ଦେଶଦ୍ରୋହ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ଆଇଏମଏ ଚିଠିରେ ଉଲ୍ଲେଖ କରିଛି ଯେ, ପତଞ୍ଜଳି ମାଲିକ ରାମଦେବ ଟିକାକରଣକୁ ନେଇ ଭୁଲ ସୂଚନା ଦେଉଥିବା ଅଭିଯାନକୁ ରୋକିବା ଦରକାର। ଏକ ଭିଡିଓରେ ସେ କହିଥିଲେ କି ଟିକାର ଦୁଇଟି ଡୋଜ ନେବା ସତ୍ତ୍ୱେ ୧୦ ହଜାର ଡାକ୍ତର ଓ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ତେବେ ରାମଦେବ ଏପରି କିଭଳି କହିପାରିଲେ। ଏନେଇ ତାଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ଆଇଏମଏ ଆଜି ସକାଳେ ରାମଦେବଙ୍କୁ ୧ ହଜାର କୋଟି ଟଙ୍କାର ମାନହାନି ନୋଟିସ ପଠାଇଥିଲା। ଯେଉଁଥିରେ ରାମଦେବଙ୍କୁ ୧୫ ଦିନ ମଧ୍ୟରେ ଲିଖିତ କ୍ଷମା ମାଗିବାକୁ କୁହାଯାଇଥିଲା। ଏଥିସହିତ ରାମଦେବ ଦେଇଥିବା ବୟାନକୁ ସେ ନିଜେ ବିରୋଧ କରି ଏକ ଭିଡିଓ ମଧ୍ୟ ପୋଷ୍ଟ କରିବାକୁ କୁହାଯାଇଛି। ଯଦି ସେ ଏହା ନ କରନ୍ତି ତେବେ ତାଙ୍କୁ ୧ ହଜାର କୋଟି ଟଙ୍କା ଜୋରିମାନା ଦେବାକୁ ପଡ଼ିବ।