ହାଇୱା-ସ୍କୁଟି ଧକ୍କା , ମହିଳା ମୃତ

ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଜାରକାଣି ପଞ୍ଚାୟତ ରୁଗୁଡିହି ଗ୍ରାମ ରାସ୍ତାରେ ହାଇୱା ଏକ ସ୍କୁଟିକୁ ଧକ୍କାଦେବାରୁ ସ୍କୁଟି ଚାଳକ ସୌଭାଗ୍ୟ ବଶତଃ ବର୍ତ୍ତି ଯାଇଥିବାବେଳେ ପଛରେ ବସିଥିବା ମହିଳାଙ୍କର ମୃତ୍ୟୁ ହୋଇଯାଇଛି। ସୂଚନା ଯୋଗ୍ୟ, ରବିବାର ପୂର୍ବାହ୍ନରେ ରୁଗୁଡିହି ଗ୍ରାମର ପ୍ରହ୍ଲାଦ ବିନ୍ଧାଣିଙ୍କ ସ୍ତ୍ରୀ ସୂର୍ଯ୍ୟମଣି ବିନ୍ଧାଣି(୩୮) ଏବଂ ତାଙ୍କ ପୁଅ ଏକ ସ୍କୁଟିରେ ବହଳଦା ବଜାରକୁ ଯାଉଥିଲେ । ରୁଗୁଡିହି ଗାଁ ରାସ୍ତାରେ ଏକ ବାଲି ବୋଝେଇ ହାଇୱା ତାଙ୍କୁ ଧକ୍କା ଦେଇଥିଲା। ପଛ ଚକାତଳେ ମହିଳା ପଡ଼ିଯିବାରୁ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ । ଆମ୍ବୁଲାନ୍ସରେ ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଜାମଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଦୁଇଟିକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।