ଟ୍ରକକୁ ଧକ୍କା ଦେଇ ଯନ୍ତ୍ରୀ ଗୁରୁତର

ଦେବଗଡ଼,ଏନ୍ଏନ୍ଏସ୍: ପୁରୁଣା ବାରକୋଟ ଦେଇ ଯାଇଥିବା ୪୯ନମ୍ବର ଜାତୀୟ ରାଜପଥ କଡ଼ରେ ଛିଡା ହୋଇଥିବା ଏକ ଟ୍ରକ ପଛକୁ ଧକ୍କାଦେଇ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ, ବାରକୋଟ ପୂର୍ତ୍ତ ବିଭାଗରେ ଯନ୍ତ୍ରୀ ଥିବା ଅମ୍ରିତ ସାମାଡ଼ (୩୬) ଆଜି ସନ୍ଧ୍ୟାରେ କାମ ସାରି ବାହାଡାପୋଷି ପଟୁ ବାରକୋଟ ଅଭିମୁଖେ ବାଇକରେ ଫେରୁଥିବା ବେଳେ ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟା ସମୟରେ ପୁରୁଣା ବାରକୋଟ ଗ୍ରାମ ନିକଟରେ ଛିଡା ହୋଇଥିବା ଏକ ମାଲ ବୋଝେଇ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲେ। ଫଳରେ ସେ ରାସ୍ତା କଡ଼କୁ ଛିଟିକି ପଡି ସଜ୍ଞାହୀନ ହୋଇ ପଡିଥିଲେ। ସ୍ଥାନୀୟ ଯୁବକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବାବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।