ହାଇ ସ୍ପିଡ୍‌ ଏକ୍ସପେଣ୍ଡେବେଲ୍‌ ଏରିଏଲ୍‌ ଟାର୍ଗେଟ ଅଭ୍ୟାସର ସଫଳ ପରୀକ୍ଷଣ

ବାଲେଶ୍ବର,ଏନ୍ଏନ୍ଏସ୍: ବୁଧବାର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ୍‌ରୁ ହାଇ ସ୍ପିଡ୍‌ ଏକ୍ସପେଣ୍ଡେବେଲ୍‌ ଏରିଏଲ୍‌ ଟାର୍ଗେଟ ‘ଅଭ୍ୟାସ୍‌’ ଚାଳକ ବିହୀନ ବିମାନର ସଫଳ ଉଡ଼ାଣ ପରୀକ୍ଷଣ କରାଯାଇଛି। ଏହାକୁ ନେଇ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି।

ଉଡ଼ାଣ ପରୀକ୍ଷଣ ବେଳେ ଏହି ବିମାନର କମ୍‌ ଉଚ୍ଚତାରେ ଉଡ଼ିବା କ୍ଷମତା ସହ ଏକ ନିର୍ଦ୍ଦିଷ୍ଟ ଉଚ୍ଚତା କେତେ ସମୟ ସ୍ଥିର ରହି ପାରୁଛି ତାହାକୁ ଅନୁଧ୍ୟାନ କରାଯାଇଛି। ତା ସହ ଏହି ଚାଳକ ବିହୀନ ବିମାନ କେତେ ସହଜରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଉଡ଼ାଇ ହେବ ତାହାକୁ ମଧ୍ୟ ନୀରିକ୍ଷଣ କରାଯାଇଛି।

ହାଇ ସ୍ପିଡ୍‌ ଏକ୍ସପେଣ୍ଡେବେଲ୍‌ ଏରିଏଲ୍‌ ଟାର୍ଗେଟ ‘ଅଭ୍ୟାସ୍‌’ ବିମାନ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ ବିକଶିତ କରିଛି। ଟ୍ବିନ୍‌ ଅଣ୍ଡର ସ୍ଲଙ୍ଗ୍‌ ବୁଷ୍ଟର ଦ୍ବାରା ଏହି ବିମାନ ଲଞ୍ଚ କରାଯାଇଥିଲା। ଏହାଦ୍ବାରା ବିମାନକୁ ପ୍ରାରମ୍ଭିକ ଆକ୍ସେଲେରେସନ ମିଳିଥାଏ। ଯାହା ଫଳରେ ଏକ ଉଚ ସବ୍‌ ସୋନିକ ବେଗରେ ଦୀର୍ଘସ୍ଥାୟୀ ଉଡ଼ାଣ ଭରିପାରେ ଏହି ବିମାନ। ଉଡ଼଼ାଣର ସୁରକ୍ଷିତ ସ୍ଥିତି ବଜାୟ ରଖିବା ପାଇଁ ଏଥିରେ ଏକ ଛୋଟ ଗ୍ୟାସ୍ ଟର୍ବାଇନ ଇଞ୍ଜିନ୍ ମଧ୍ୟ ରହିଛି।

ବିମାନରେ ଇଲେକ୍ଟ୍ରୋ ଅପ୍ଟିକାଲ୍‌ ଟାର୍ଗେଟିଂ ସିଷ୍ଟମ ମଧ୍ୟ ରହିଛି। ଚାନ୍ଦିପୁରର ଗାଉଣ୍ଡ ବେସ୍‌ଡ କଣ୍ଟ୍ରୋଲର ସାହାଯ୍ୟରେ ଉଡ଼ାଣ ଭରିଥିଲା ହାଇ ସ୍ପିଡ୍‌ ଏକ୍ସପେଣ୍ଡେବେଲ୍‌ ଏରିଏଲ୍‌ ଟାର୍ଗେଟ ‘ଅଭ୍ୟାସ୍‌’ ବିମାନ।